93

ହାଇକୋର୍ଟରୁ ଆଶ୍ୱସ୍ତି ପରେ ଲମ୍ବା ଛୁଟିରେ ଗଲେ ସଦର ଏସ୍‌ଡିପିଓ!

ଖୋର୍ଦ୍ଧା: ହାଇକୋର୍ଟରେ ବିଚାରାଧୀନ ଥିବା ମାମଲାରେ ଆଶ୍ୱସ୍ତି ମିଳିବା ପରେ ପୁରୀ ସଦର ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି | ଆଗାମୀ ଦିନରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ତାଙ୍କ ସାମ୍ନାରେ ଥିବା ଆଇନଗତ ବାଧା ଦୂର ହୋଇଥିବା ଜଣାପଡ଼ିଛି |

ସୂଚନା ଅନୁଯାୟୀ, ଶ୍ରୀ ବାରିକ ଆଜି ଏସ୍‌ପି ପ୍ରତୀକ ସିଂଙ୍କୁ ଭେଟି ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ | ଏହା ସହିତ ସେ ଆଗାମୀ ଦିନରେ ଓଡ଼ିଶା ପୁଲିସ ସେବାରେ ଜାରି ରହିବାକୁ ଇଚ୍ଛୁକ ନୁହଁନ୍ତି ବୋଲି ମଧ୍ୟ ପ୍ରକାଶ କରିଥିଲେ |ଏହା ପରେ ସେ ଛୁଟି ଆବେଦନ ଦାଖଲ କରି ଚାଲିଯାଇଛନ୍ତି | ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ଶ୍ରୀ ବାରିକଙ୍କର ଯଥେଷ୍ଟ ସୁନାମ ରହିଛି |କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଓମ୍ ଶିକାରୀ ହତ୍ୟାକାଣ୍ଡ, ଚନ୍ଦନପୁର ହତ୍ୟାକାଣ୍ଡ ତଥା ଖଡ଼ିପଦା ଅଞ୍ଚଳର ଏକ ହତ୍ୟା ଘଟଣାକୁ ସଡ଼କ ଦୁର୍ଘଟଣା ରୂପ ଦେବା ଭଳି ସମ୍ବେଦନଶୀଳ ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା |

ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏସ୍‌ଡିପିଓ ଭାବେ କାର୍ଯ୍ୟ କରିବା ସମୟରେ ମଧ୍ୟ ସେ ଅନେକ ଅପରାଧୀଙ୍କୁ ଧରିଥିଲେ.ଏବେ ହାଇକୋର୍ଟଙ୍କ ରାୟ ପରେ ଓଏଏସ୍‌ରେ ନିଯୁକ୍ତି ପାଇଁ ତାଙ୍କ ରାସ୍ତା ସଫା ହୋଇଥିବାରୁ ପୁଲିସ ବିଭାଗ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି |

Spread the love