81

ଗଣେଶ ପୂଜା ୨୦୨୬: ଖୋର୍ଦ୍ଧା ଜିଲ୍ଲା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜେ ଓ ଉଚ୍ଚଶବ୍ଦ ଉପରେ କଟକଣା

ଖୋର୍ଦ୍ଧା: ଆଗାମୀ ଗଣେଶ ପୂଜା ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଗଣେଶ ପୂଜା କମିଟି ସଦସ୍ୟମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ବୈଠକରେ ଗଣେଶ ପୂଜା ସମୟରେ ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

ପୋଲିସ ପକ୍ଷରୁ ଡିଜେ ଓ ଉଚ୍ଚଶବ୍ଦ ବିଶିଷ୍ଟ ଲାଉଡ୍‌ସ୍ପିକର ବ୍ୟବହାର ସମ୍ପର୍କିତ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବାଣ ଫୁଟାଇବା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ମୂର୍ତ୍ତି ଭସାଣି ପାଇଁ ନିର୍ଦ୍ଧାରିତ ସ୍ଥାନ ଓ ଶୃଙ୍ଖଳିତ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି।

ଗଣେଶ ପୂଜା ସମୟରେ ସାମ୍ପ୍ରଦାୟିକ ସଦ୍‌ଭାବ, ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୂଜା ସମୟରେ ପୋଲିସର କଡ଼ା ନଜର ରହିବ। ବୈଠକରେ ବିଭିନ୍ନ ଗଣେଶ ପୂଜା କମିଟିର ସଦସ୍ୟମାନେ ପୋଲିସ ପ୍ରଶାସନର ସମସ୍ତ ନିୟମ ଓ ନିର୍ଦ୍ଦେଶ ପାଳନ କରିବା ସହ ପର୍ବକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ପରିଚାଳନା ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ପୋଲିସ ପକ୍ଷରୁ ଜିଲ୍ଲାବାସୀଙ୍କୁ ଭକ୍ତି, ଶୃଙ୍ଖଳା ଓ ପାରସ୍ପରିକ ଭାଇଚାରା ସହ ଗଣେଶ ପୂଜା ପାଳନ କରିବାକୁ ଆହ୍ୱାନ କରାଯାଇଛି।

Spread the love