10

୪୧ ସରକାରୀ କର୍ମଚାରୀ ବରଖାସ୍ତ, ୯୧ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ!

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ। ଦୁର୍ନୀତିରେ ସମ୍ପୃକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ-୨୦୨୬ କାର୍ଯ୍ୟକ୍ରମରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ମାମଲାରେ ସମ୍ପୃକ୍ତି ପାଇଁ ଏପର୍ଯ୍ୟନ୍ତ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେହିପରି ୯୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି।

ଗତ ଅଢ଼େଇ ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇଏଏସ୍ ଅଧିକାରୀ, ମୁଖ୍ୟଯନ୍ତ୍ରୀ ପାହ୍ୟାର ୮ ଜଣ ଅଧିକାରୀ, ୨ ଜଣ ଡିଭିଜନାଲ ଫରେଷ୍ଟ ଅଫିସର, ଅବକାରୀ ଓ ରାଜ୍ୟ ପରିବହନ ପ୍ରାଧିକରଣର ଯୁଗ୍ମ କମିଶନର, ଖଣି ବିଭାଗର ୩ ଜଣ ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର ଏବଂ ୪ ଜଣ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ସମେତ ବହୁ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ହାର ୨୦୨୫ରେ ୫୦ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହା ୬୫ ପ୍ରତିଶତକୁ ବୃଦ୍ଧି ପାଇଛି। ଦୁର୍ନୀତି ବିରୋଧରେ ଭିଜିଲାନ୍ସ ବିଭାଗର ନିରନ୍ତର ପ୍ରୟାସ ଯୋଗୁଁ ଏହି ସଫଳତା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦୁର୍ନୀତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ତିନିସୂତ୍ରୀ ରଣନୀତି ଆପଣାଇଛନ୍ତି। ଏଥିରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ ଓ ତଦନ୍ତ ଏବଂ ଦୁର୍ନୀତି ମାମଲାରେ ଗିରଫ ଅଧିକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଓ ଦଣ୍ଡବିଧାନ ସାମିଲ ରହିଛି। ଅଧିକାରୀଙ୍କ ଚାକିରି କାଳ ଯାହା ହୋଇଥାଉ ନା କାହିଁକି, ଦୁର୍ନୀତି ପ୍ରମାଣିତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସରକାରୀ ବ୍ୟବସ୍ଥା ଏବେ କେବଳ କ୍ଷମତା କରିଡରରେ ସୀମିତ ନାହିଁ। ସରକାର ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଅଭିଯୋଗ ଶୁଣୁଛନ୍ତି। ଜନଶୁଣାଣି କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ଦୁର୍ନୀତି ରୋକିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ଲୋକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଜଣାଉଛନ୍ତି ଏବଂ ସେସବୁ ଉପରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନଧନ-ଆଧାର-ମୋବାଇଲ (ଜାମ୍) ବ୍ୟବସ୍ଥାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ମଧ୍ୟସ୍ଥିଙ୍କ ଭୂମିକା ହ୍ରାସ ପାଇଛି ଏବଂ ଗରିବ ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ସିଧାସଳଖ ପହଞ୍ଚିବା ସମ୍ଭବ ହୋଇଛି।

ଦୁର୍ନୀତି ନିୟନ୍ତ୍ରଣରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ପାଇଁ ରାଜ୍ୟ ସରକାର ଓଡ଼ିଶା ଆଇଟି ନୀତିକୁ ଅନୁମୋଦନ କରିଛନ୍ତି। ଏଥିସହ ଦୁର୍ନୀତିପ୍ରବଣ କ୍ଷେତ୍ର ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ଅଧୀନରେ ଏକ ପ୍ରତିରୋଧମୂଳକ ଭିଜିଲାନ୍ସ ଗବେଷଣା ଶାଖା ଗଠନ କରାଯାଉଛି।

ଚଳିତ ବର୍ଷର ଭିଜିଲାନ୍ସ ସଚେତନତା ସପ୍ତାହର ବିଷୟବସ୍ତୁ ‘ସଚ୍ଚୋଟତାରୁ ସମୃଦ୍ଧି’ (Integrity to Prosperity) ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀଙ୍କୁ ନୈତିକତା, ସ୍ୱଚ୍ଛତା ଓ ନିଷ୍ଠାର ସହ ଜନସେବା କରିବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ଟିକସଦାତାଙ୍କ କଷ୍ଟଲବ୍ଧ ଅର୍ଥରେ ପରିଚାଳିତ ସରକାରୀ ଯୋଜନାର ସୁଫଳ ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସଚ୍ଚୋଟତା ଅତ୍ୟନ୍ତ ଆବଶ୍ୟକ। ସରକାର ସ୍ୱଚ୍ଛତାର ସହ ଜନସେବା ପ୍ରଦାନ ପାଇଁ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତାର ଉପଯୋଗ କରୁଛନ୍ତି।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧରେ ନିରନ୍ତର ପଦକ୍ଷେପ ନିଆଯାଉଛି।

ଏହି ଅବସରରେ ଭିଜିଲାନ୍ସ କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବିଭିନ୍ନ ଅଧିକାରୀ ଓ ୟୁନିଟ୍‌କୁ ପୁରସ୍କୃତ କରାଯାଇଥିଲା। ୨୦୨୫ ବର୍ଷ ପାଇଁ କୋରାପୁଟ ଡିଭିଜନକୁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଏବଂ ଅନୁଗୋଳ ୟୁନିଟ୍‌କୁ ଶ୍ରେଷ୍ଠ ୟୁନିଟ୍ ଭାବେ ଚୟନ କରାଯାଇଥିଲା।

ସେହିପରି ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣି ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ, ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଧିକାରୀ ଏବଂ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ କୋର୍ଟର ସାଲିଲ କୁମାର ପ୍ରଧାନ ଶ୍ରେଷ୍ଠ ସରକାରୀ ଓକିଲ ଭାବେ ପୁରସ୍କୃତ ହୋଇଥିଲେ।

କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ଓ ଅନ୍ୟ ଅଂଶଗ୍ରହଣକାରୀଙ୍କୁ ଦୁର୍ନୀତି ବିରୋଧୀ ସଚ୍ଚୋଟତାର ଶପଥ ପାଠ କରାଇଥିଲେ। ଅତିରିକ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଅସିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ବରିଷ୍ଠ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିଲେ।

 

Spread the love