10

ନରାଜ ଏଆଇ ଡାଟା ସେଣ୍ଟରକୁ ନେଇ ଉଦ୍‌ବେଗ, ସରକାରଙ୍କୁ ମାଗିଲା ସ୍ପଷ୍ଟୀକରଣ କଂଗ୍ରେସ!

ଭୁବନେଶ୍ୱର: ନରାଜଠାରେ ପ୍ରସ୍ତାବିତ ଏଆଇ ଡାଟା ସେଣ୍ଟର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଅନେକ ପ୍ରଶ୍ନ ଉଠାଇଛି କଂଗ୍ରେସ। ପ୍ରକଳ୍ପ ପାଇଁ ବିପୁଳ ପରିମାଣର ଜମି, ବିଦ୍ୟୁତ୍ ଓ ଜଳର ଆବଶ୍ୟକତା ଥିବାବେଳେ ଏହା ଓଡ଼ିଶାର ଲୋକଙ୍କୁ କେତେ ଲାଭ ଦେବ, ତାହା ସ୍ପଷ୍ଟ କରିବାକୁ ଦଳ ଦାବି କରିଛି। ସୋମବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ପ୍ରକଳ୍ପକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ସରକାରଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି।

ଶ୍ରୀକାନ୍ତ ଜେନାଙ୍କ ଉପସ୍ଥାପନ ଅନୁଯାୟୀ, ପ୍ରକଳ୍ପରେ ପ୍ରାୟ ୧.୦୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ, ୧ ଗିଗାୱାଟ୍ ବିଦ୍ୟୁତ୍ କ୍ଷମତା ଏବଂ ପ୍ରାୟ ୨୫୦ ଏକର ଜମିର ଆବଶ୍ୟକତା ରହିଛି। ଏତେ ବଡ଼ ପ୍ରକଳ୍ପ ପାଇଁ ବିଦ୍ୟୁତ୍ କେଉଁଠାରୁ ଯୋଗାଇ ଦିଆଯିବ ଏବଂ ଏହାର ପ୍ରଭାବ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡ଼ିବ କି ନାହିଁ, ସେନେଇ ସରକାର ସ୍ପଷ୍ଟ ତଥ୍ୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସେହିପରି, ପ୍ରକଳ୍ପ ପାଇଁ ଦୈନିକ ପ୍ରାୟ ୩୦ ନିୟୁତ ଲିଟର ଜଳ ଆବଶ୍ୟକ ହେବାର ଆକଳନକୁ ନେଇ ଚିନ୍ତା ପ୍ରକାଶ କରିଛି କଂଗ୍ରେସ। ଭୁବନେଶ୍ୱର ଓ କଟକର ପାନୀୟ ଜଳ ଯୋଗାଣ, ଭୂତଳ ଜଳସ୍ତର ଏବଂ କୃଷି ପାଇଁ ଜଳର ଉପଲବ୍ଧତା ପ୍ରଭାବିତ ନହେବା ନେଇ ସରକାର କି ପଦକ୍ଷେପ ନେବେ, ତାହା ଜଣାଇବାକୁ ଦଳ ଦାବି କରିଛି।

ପ୍ରକଳ୍ପରୁ ପ୍ରାୟ ୧,୦୦୦ ନିଯୁକ୍ତି ସୃଷ୍ଟି ହେବାର ଆକଳନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ରାଜ୍ୟରେ ବେକାରି ସମସ୍ୟା ଓ ଶ୍ରମିକଙ୍କ ପ୍ରବାସ ଜାରି ରହିଥିବାବେଳେ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ପୋଷାକ ଉତ୍ପାଦନ ଭଳି ଶ୍ରମଭିତ୍ତିକ ଶିଳ୍ପକୁ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି ଦଳ ମତ ଦେଇଛି।

ଏହାସହ ପ୍ରକଳ୍ପର ପରିବେଶୀୟ ପ୍ରଭାବ ଆକଳନ, ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ଜମି ଆବଣ୍ଟନ, ଟିକସ ରିହାତି ଏବଂ ସରକାରଙ୍କ ସହ ହୋଇଥିବା ବୁଝାମଣାପତ୍ରକୁ ସାର୍ବଜନୀନ କରିବାକୁ କଂଗ୍ରେସ ଦାବି କରିଛି। ପ୍ରକଳ୍ପର ବିକଳ୍ପ ସ୍ଥାନ ଚୟନ, ଜଳର ପୁନଃବ୍ୟବହାର ଏବଂ ସୌର ଓ ପବନ ଶକ୍ତିର ଉପଯୋଗ ଉପରେ ମଧ୍ୟ ବିଚାର କରିବାକୁ ଦଳ ପରାମର୍ଶ ଦେଇଛି।

ଭକ୍ତ ଚରଣ ଦାସ କହିଛନ୍ତି ଯେ, ରାଜ୍ୟରେ ପୁଞ୍ଜିନିବେଶକୁ କେବଳ ଅର୍ଥର ପରିମାଣ ଆଧାରରେ ମାପିବା ଉଚିତ ନୁହେଁ। ଏହାଦ୍ୱାରା କେତେ ନିଯୁକ୍ତି ସୃଷ୍ଟି ହେବ, ପ୍ରାକୃତିକ ସମ୍ପଦ ଉପରେ କେତେ ଚାପ ପଡ଼ିବ ଏବଂ ରାଜ୍ୟକୁ ପ୍ରକୃତରେ କେତେ ଲାଭ ମିଳିବ, ସେ ସମ୍ପର୍କରେ ସରକାର ଜନସାଧାରଣଙ୍କୁ ଅବଗତ କରାଇବା ଆବଶ୍ୟକ। ଏହି ପ୍ରସଙ୍ଗରେ ସରକାର ସ୍ପଷ୍ଟ ଉତ୍ତର ନଦେଲେ କଂଗ୍ରେସ ଜନସାଧାରଣଙ୍କ ପାଖକୁ ଯାଇ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡ. ହମିଦ ହୁସେନ ସଂଯୋଜନା କରିଥିଲେ।

 

Spread the love