21

୧୨୧ ଦିନରେ ନ୍ୟାୟ, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବାଲୁଗାଁ ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ ଚୋରି ମାମଲା ନଂ-୧୮୬/୨୦୨୬ରେ ମାନ୍ୟବର ଅଦାଲତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନା ଅନୁସାରେ, ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୩(୨) ଅନୁଯାୟୀ ବାଲୁଗାଁ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ଭାର ବାଲୁଗାଁ ଥାନାର ଏଏସଆଇ ମନୋରଞ୍ଜନ ସ୍ୱାଇଁ ନେଇଥିଲେ। ସେ ନିଷ୍ଠା ଓ ଦକ୍ଷତାର ସହ ତଦନ୍ତ କରି ମାମଲା ସମ୍ପର୍କିତ ଆବଶ୍ୟକ ପ୍ରମାଣ ଓ ସାକ୍ଷ୍ୟ ଅଦାଲତରେ ଉପସ୍ଥାପନ କରିଥିଲେ।

ତେବେ ଏହି ମାମଲାର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି, ମାମଲା ରୁଜୁ ହେବାର ମାତ୍ର ୧୨୧ ଦିନ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତ୍ୱରିତ ତଦନ୍ତ ଓ ଆଇନଗତ ପ୍ରକ୍ରିୟାର ଏହା ଏକ ଉଲ୍ଲେଖନୀୟ ଉଦାହରଣ ବୋଲି କୁହାଯାଉଛି।

ଏହି ରାୟ ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରତି ଲୋକଙ୍କ ଆସ୍ଥା ଆହୁରି ବଢ଼ିଛି। ଅପରାଧ ନିୟନ୍ତ୍ରଣ ସହ ତ୍ୱରିତ ତଦନ୍ତ ଓ ବିଚାର ପ୍ରକ୍ରିୟା ଅପରାଧୀଙ୍କ ମଧ୍ୟରେ ଆଇନ ପ୍ରତି ଭୟ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ବଢ଼ାଇଛି।

ଖୋର୍ଦ୍ଧା ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ତ୍ୱରିତ ଓ ପ୍ରଭାବଶାଳୀ ତଦନ୍ତ ଜାରି ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

Spread the love