38

ରାଜଧାନୀରେ ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟକ୍ୟାମ୍ପ ଅନୁଷ୍ଠିତ

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ବଢ଼ୁଥିବା ସାଇବର ବିପଦ ଏବଂ ସୂଚନା ସୁରକ୍ଷା ସମ୍ପର୍କିତ ଆହ୍ୱାନକୁ ନେଇ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC), ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ସୂଚନା ସୁରକ୍ଷା ଟେକ୍-ବୁଟକ୍ୟାମ୍ପ ଆୟୋଜିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାର ଏବଂ NIC ଓଡ଼ିଶାର ପ୍ରାୟ ୧୦୦ ଜଣ ଅଧିକାରୀ ଓ ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ସି.ଭି. ରମଣ ଗ୍ଲୋବାଲ୍ ୟୁନିଭରସିଟିର କୁଳପତି ପ୍ରଫେସର ଡ.ବଂଶୀଧର ମାଝୀ ଯୋଗଦେଇ ଡିଜିଟାଲ୍ ଯୁଗରେ ସୂଚନା ସୁରକ୍ଷାର ବଢ଼ୁଥିବା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସାଇବର ବିପଦକୁ ଚିହ୍ନଟ କରିବା ସହ ତାହାର ପ୍ରଭାବଶାଳୀ ପରିଚାଳନା ଏବଂ ପ୍ରତିରୋଧ ପାଇଁ ସରକାରୀ ସଂସ୍ଥାଗୁଡ଼ିକର ନିରନ୍ତର ପ୍ରସ୍ତୁତି ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅଭିଭାଷଣରେ ପ୍ରତିରକ୍ଷା ସାଇବର ଏଜେନ୍ସିର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଏୟାର କମୋଡୋର ନିରଞ୍ଜନ କୁମାର ପାଢ଼ୀ ସାଇବର ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଆକ୍ରମଣାତ୍ମକ ଓ ପ୍ରତିରକ୍ଷାତ୍ମକ ପ୍ରୟୋଗ ସମ୍ପର୍କରେ ଅଭିଜ୍ଞତା ବାଣ୍ଟିଥିଲେ। AIର ଦ୍ରୁତ ବିକାଶ ସହ ସାଇବର ସୁରକ୍ଷା କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂତନ ଆହ୍ୱାନ ଓ ସୁଯୋଗ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।

NIC ଓଡ଼ିଶାର ଉପ ମହାନିର୍ଦ୍ଦେଶକ ତଥା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ ପଦାଧିକାରୀ ଡ. ଅଶୋକ କୁମାର ହୋତା ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ ବୁଟକ୍ୟାମ୍ପର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମ ଅବସରରେ ସାଇବର ସୁରକ୍ଷା ସଚେତନତା ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏଥିସହ NIC ଓଡ଼ିଶାର ମାସିକ ନ୍ୟୁଜଲେଟର ‘The Ascender’ ର ସେପ୍ଟେମ୍ବର ୨୦୨୬ ସଂସ୍କରଣ ମଧ୍ୟ ପ୍ରକାଶିତ ହୋଇଥିଲା।

ବୁଟକ୍ୟାମ୍ପରେ ସାଇବର ଥ୍ରେଟ୍, ସାଇବର ସୁରକ୍ଷା, ସାଇବର ଡିଫେନ୍ସ ଟୁଲକିଟ୍, ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ଏବଂ ମୋବାଇଲ୍ ଡିଭାଇସ୍ ହ୍ୟାକିଂ ଭଳି ସମସାମୟିକ ବିଷୟ ଉପରେ ପାଞ୍ଚଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ନିର୍ଦ୍ଦେଶକ (ସୂଚନା ବିଜ୍ଞାନ) ଶିବାନୀ କୋରା, ବରିଷ୍ଠ ବୈଜ୍ଞାନିକ ଜୟନ୍ତ କୁମାର ମିଶ୍ର, ନୀଳାଦ୍ରୀ ବିହାରୀ ମହାନ୍ତି ଏବଂ ରାହୁଲ କୁମାର ସିହ୍ନାଙ୍କ ସମେତ ବରିଷ୍ଠ ବୈଜ୍ଞାନିକମାନେ ବିଭିନ୍ନ ଅଧିବେଶନ ପରିଚାଳନା କରିଥିଲେ। ଏହି ଅଧିବେଶନଗୁଡ଼ିକ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ସାଇବର ସୁରକ୍ଷାର ନୂତନ ଆହ୍ୱାନ, ବିପଦ ଚିହ୍ନଟ ଏବଂ ପ୍ରତିରକ୍ଷା କୌଶଳ ସମ୍ପର୍କରେ ବ୍ୟବହାରିକ ଓ ପ୍ରାସଙ୍ଗିକ ଜ୍ଞାନ ହାସଲ କରିଥିଲେ।

ସରକାରୀ ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସାଇବର ବିପଦ ପ୍ରତି ଅଧିକ ସକ୍ଷମ କରିବା ଦିଗରେ ଏହି ଟେକ୍-ବୁଟକ୍ୟାମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି।

Spread the love