କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଓ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବିଦେଶୀ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଆସନ୍ତା ୯ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତରେ ୟୁଏଇର ନିବେଶକ, ଶିଳ୍ପପତି, ବ୍ୟବସାୟୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ଓ ଶିଳ୍ପ ପ୍ରୋତ୍ସାହନ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଗସ୍ତରେ ଅଛନ୍ତି। ଆବୁଧାବିରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ଅଧିକାରୀ ଓ ପ୍ରତିନିଧିମାନେ ଓଡ଼ିଶା ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରିଛନ୍ତି। ଆବୁଧାବିରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆଗାମୀ ନିବେଶକ ବୈଠକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ୟୁଏଇର ନିବେଶକ ଓ ଶିଳ୍ପପତିଙ୍କ ସହ କେଉଁ କେଉଁ କ୍ଷେତ୍ରରେ ଓଡ଼ିଶାରେ ନିବେଶର ସୁଯୋଗ ରହିଛି, ସେନେଇ ଆଲୋଚନା ହେବ।
ଓଡ଼ିଶାର ପ୍ରାକୃତିକ ସମ୍ପଦ, ବନ୍ଦର, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟାପ୍ତ ଶକ୍ତି, ଦକ୍ଷ ମାନବ ସମ୍ବଳ ଏବଂ ବଡ଼ ବଜାରରେ ପହଞ୍ଚ ସୁବିଧାକୁ ନିବେଶକଙ୍କ ସମ୍ମୁଖରେ ରଖିବେ ମୁଖ୍ୟମନ୍ତ୍ରୀ। ଧାତୁ ଓ ଧାତୁଭିତ୍ତିକ ଶିଳ୍ପ, ରାସାୟନିକ ଶିଳ୍ପ, ପେଟ୍ରୋଲିୟମ ଭିତ୍ତିକ ଶିଳ୍ପ, ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ବନ୍ଦର ଓ ପରିବହନ ଭଳି କ୍ଷେତ୍ରରେ ନିବେଶ ଆଣିବା ଉପରେ ଗୁରୁତ୍ୱ ରହିବ।
ସେପ୍ଟେମ୍ବର ୯ରୁ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବ। ୟୁଏଇର ପ୍ରମୁଖ ବ୍ୟବସାୟିକ ସଂସ୍ଥା, ନିବେଶକ ଓ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିବେ। ୟୁଏଇର ନିବେଶ ମନ୍ତ୍ରୀ ଏବଂ ବଡ଼ ନିବେଶ ସଂସ୍ଥାର ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା ହେବ। ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ କେବଳ ନିବେଶ ପ୍ରସ୍ତାବ ଆଣିବା ନୁହେଁ। ୟୁଏଇର ନିବେଶକଙ୍କ ଆଗ୍ରହକୁ ଓଡ଼ିଶାରେ ବାସ୍ତବ ଶିଳ୍ପ ପ୍ରକଳ୍ପରେ ପରିଣତ କରିବା, ନୂଆ ଶିଳ୍ପ ପ୍ରତିଷ୍ଠା କରିବା ଏବଂ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ଉପରେ ଜୋର ରହିବ।

ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଏବେ ଶିଳ୍ପ ଅଭିବୃଦ୍ଧିର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ୟୁଏଇ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ମଜବୁତ କରିବା ସହ ନିବେଶ, ପ୍ରଯୁକ୍ତି ଓ ନିଯୁକ୍ତି ସୃଷ୍ଟି ଭିତ୍ତିକ ଦୀର୍ଘକାଳୀନ ସହଭାଗିତା ଗଢ଼ିବା ତାଙ୍କ ସରକାରର ଲକ୍ଷ୍ୟ।
ୟୁଏଇରେ ବସବାସ କରୁଥିବା ଓ କାମ କରୁଥିବା ଓଡ଼ିଆମାନଙ୍କ ସହ ମଧ୍ୟ ସମ୍ପର୍କ ସୁଦୃଢ଼ କରିବେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଓ ୟୁଏଇ ମଧ୍ୟରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାମ କରୁଥିବାରୁ ସେମାନଙ୍କ ସହଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ୟୁଏଇରେ ଭାରତର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଭେଟି ଭାରତ-ୟୁଏଇ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବ୍ୟବସାୟିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି।
ଆବୁଧାବି ପରେ ଦୁବାଇରେ ମଧ୍ୟ ଶିଳ୍ପପତି ଓ ସମ୍ଭାବ୍ୟ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବ। ସେଠାରେ ଓଡ଼ିଶାର ନିବେଶ ସମ୍ଭାବନା ଉପସ୍ଥାପନ କରାଯିବା ସହ ୟୁଏଇରୁ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ରୟାସ କରାଯିବ। ଏବେ ନଜର ରହିଛି, ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରୁ ଓଡ଼ିଶାକୁ କେତେ ବଡ଼ ନିବେଶ ମିଳୁଛି ଏବଂ ଏହି ନିବେଶ କେତେଦୂର ବାସ୍ତବ ଶିଳ୍ପ ପ୍ରକଳ୍ପ ଓ ନିଯୁକ୍ତି ସୃଷ୍ଟିରେ ପରିଣତ ହେଉଛି।