43

MMDR ସଂଶୋଧନ ଆଇନ ବିରୋଧରେ INDIA ବ୍ଲକ୍‌ର ମେଳି: ୨୯ରେ ବିଧାନସଭା ଘେରାଉ, ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ

ଭୁବନେଶ୍ୱର: MMDR ସଂଶୋଧନ ଆଇନ, ୨୦୨୬କୁ ବିରୋଧ କରି ଓଡ଼ିଶାରେ ରାଜନୈତିକ ଆନ୍ଦୋଳନକୁ ଜୋରଦାର କରିବାକୁ INDIA ବ୍ଲକ୍‌ର ବିଭିନ୍ନ ଦଳ ଏକାଠି ହୋଇଛନ୍ତି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ କଂଗ୍ରେସ ଭବନ ସମ୍ମୁଖରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ମିଳିତ କନଭେନସନରେ ଆଇନଟିକୁ ତୁରନ୍ତ ରଦ୍ଦ କରିବା ପାଇଁ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଛି | କନଭେନସନରେ ନେତାମାନେ MMDR ସଂଶୋଧନ ଆଇନକୁ “ଓଡ଼ିଶା ଲୁଣ୍ଠନ ପାଇଁ ମୋଦିଙ୍କ ନକ୍ସା” ବୋଲି ଅଭିହିତ କରିଥିଲେ। ଏହି ଆଇନ ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବା ସହ ଖଣିଜ ସମ୍ପଦ ଥିବା ଅଞ୍ଚଳରେ ରହୁଥିବା ଆଦିବାସୀ, କୃଷକ ଓ ସାଧାରଣ ଲୋକଙ୍କ ଜମି, ଜୀବିକା ଓ ଅଧିକାର ଉପରେ ପ୍ରଭାବ ପକାଇବ ବୋଲି ସେମାନେ ଅଭିଯୋଗ କରିଥିଲେ।

କନଭେନସନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, CPIର ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, CPI(M)ର ପୂର୍ବତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, CPI(ML) Liberationର ତିରୁପତି ଗମାଙ୍ଗୋ, ଫରୱାର୍ଡ ବ୍ଲକ୍‌ର କମଳା ସାହୁ, ସମାଜବାଦୀ ପାର୍ଟିର ଶିବ ହାତୀ ଯାଦବ, RJDର ହେମନ୍ତ କୁମାର ଓ NCPର ବିକ୍ରମ ସ୍ୱାଇଁଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କନଭେନସନରେ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। CPI ଓଡ଼ିଶା ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଓ PCC ସଭାପତି ଭକ୍ତ ଚରଣ ଦାସ ଆଗାମୀ ଆନ୍ଦୋଳନର କାର୍ଯ୍ୟସୂଚୀ ସମ୍ପର୍କରେ ପ୍ରସ୍ତାବ ରଖିଥିଲେ।

କନଭେନସନରେ ନେତାମାନେ ଅଭିଯୋଗ କରିଥିଲେ ଯେ MMDR ସଂଶୋଧନ ଆଇନ ରାଜ୍ୟଗୁଡ଼ିକର ସାମ୍ବିଧାନିକ ଅଧିକାରକୁ ସଙ୍କୁଚିତ କରିବାର ଏକ ପ୍ରୟାସ। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ରାୟକୁ ନିଷ୍ଫଳ କରିବା ଉଦ୍ଦେଶ୍ୟରେ ଆଇନଟି ଅଣାଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ।

ଏହା ସହ PESA ଆଇନ ଓ ଜଙ୍ଗଲ ଅଧିକାର ଆଇନର ସୁରକ୍ଷା, ଖଣିଜ ଅଞ୍ଚଳରେ ବିସ୍ଥାପନ ରୋକିବା ଏବଂ ଆଦିବାସୀ ଓ କୃଷକଙ୍କ ଜମି ଓ ଜୀବିକା ସୁରକ୍ଷିତ ରଖିବା ନେଇ ଦାବି ଉଠିଥିଲା। ଖଣିଜ ସମ୍ପଦ ଥିବା ଅଞ୍ଚଳରେ ପରିବେଶ ପ୍ରଦୂଷଣର ପ୍ରଭାବ ନେଇ ମଧ୍ୟ ନେତାମାନେ ଚିନ୍ତା ପ୍ରକାଶ କରିଥିଲେ।

କେବଳ MMDR ଆଇନ ନୁହେଁ, ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ କନଭେନସନରେ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ଓଡ଼ିଶାରେ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିବା ବେଳେ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀଙ୍କ ସମସ୍ତ ଦାବି ପୂରଣ କରିବାକୁ ମଧ୍ୟ ଦାବି ହୋଇଥିଲା। ସେହିପରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା, ଆଦିବାସୀ, ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ, ମହିଳା ଓ ବୁଦ୍ଧିଜୀବୀଙ୍କ ଉପରେ ଆକ୍ରମଣ ବନ୍ଦ କରିବା ସହ ଅନ୍ଧାଧୁନ୍ଧ ବିସ୍ଥାପନ ରୋକିବାକୁ ଦାବି ରଖାଯାଇଥିଲା।

ଆନ୍ଦୋଳନକୁ ତଳସ୍ତରରେ ପହଞ୍ଚାଇବା ପାଇଁ INDIA ବ୍ଲକ୍‌ ପକ୍ଷରୁ ଏକାଧିକ ଆଞ୍ଚଳିକ ସମାବେଶ ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୮ରେ ସୁନ୍ଦରଗଡ଼ରେ ସୁନ୍ଦରଗଡ଼ ଓ ଅବିଭକ୍ତ ସମ୍ବଲପୁର ଅଞ୍ଚଳକୁ ନେଇ ସମାବେଶ ହେବ। ସେପ୍ଟେମ୍ବର ୨୧ରେ ରାୟଗଡ଼ାରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି, ଗଞ୍ଜାମ ଓ ଫୁଲବାଣୀ ଅଞ୍ଚଳକୁ ନେଇ ସମାବେଶ ହେବ। ସେହିପରି ସେପ୍ଟେମ୍ବର ୨୪ରେ କେନ୍ଦୁଝରରେ ଏବଂ ସେପ୍ଟେମ୍ବର ୨୬ରେ ଅନୁଗୋଳରେ ଆଞ୍ଚଳିକ ସମାବେଶ ଆୟୋଜନ କରାଯିବ।

ଆଞ୍ଚଳିକ ସମାବେଶ ପରେ ସେପ୍ଟେମ୍ବର ୨୯ରେ ବଡ଼ ଧରଣର ଶକ୍ତି ପ୍ରଦର୍ଶନ କରିବାକୁ INDIA ବ୍ଲକ୍‌ ଯୋଜନା କରିଛି। ଏହି ଦିନ ସମଗ୍ର ଓଡ଼ିଶାରୁ ଲୋକମାନେ ଭୁବନେଶ୍ୱର ଆସି ବିଧାନସଭା ଘେରାଉ କରିବେ ବୋଲି ଘୋଷଣା କରାଯାଇଛି। ବିଧାନସଭା ଘେରାଉ ପରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ବିରୋଧୀ ଦଳଗୁଡ଼ିକ କହିଛନ୍ତି। ଆବଶ୍ୟକ ହେଲେ ଓଡ଼ିଶା ବନ୍ଦ ସମେତ ଆହୁରି ବ୍ୟାପକ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି କନଭେନସନରେ ସ୍ପଷ୍ଟ କରାଯାଇଛି।

INDIA ବ୍ଲକ୍‌ର ଘୋଷଣା ଅନୁଯାୟୀ, MMDR ସଂଶୋଧନ ଆଇନ, ୨୦୨୬ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ପ୍ରତିରୋଧ ଆନ୍ଦୋଳନ ଜାରି ରହିବ।

Spread the love