27

ପଞ୍ଚାୟତ ଭୋଟ ପାଇଁ ରୋଡମ୍ୟାପ୍ ସ୍ପଷ୍ଟ, ମାର୍ଚ୍ଚ ୫ ପରେ ବିଗୁଲ!

ଭୁବନେଶ୍ୱର: ଦୀର୍ଘଦିନର ଅପେକ୍ଷା ପରେ ଓଡ଼ିଶାର ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନକୁ ନେଇ ଚିତ୍ର ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀଙ୍କ ସଦ୍ୟତମ ସୂଚନା ଅନୁସାରେ, ମାର୍ଚ୍ଚ ୫ରେ ଜନଗଣନା ପ୍ରକ୍ରିୟା ସରିବା ପରେ ପଞ୍ଚାୟତ ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇପାରେ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ପ୍ରକ୍ରିୟା ଶେଷ କରିବା ନେଇ ଆୟୋଗର ଯୋଜନା ରହିଛି।

ତେବେ ଏଥର ଦୁଇ କିମ୍ବା ତିନି ପର୍ଯ୍ୟାୟ ନୁହେଁ, ପାଞ୍ଚଟି ପର୍ଯ୍ୟାୟରେ ଭୋଟ ହେବାର ସମ୍ଭାବନା ରହିଛି। ରାଜ୍ୟରେ ପ୍ରାୟ ୯୧ ହଜାର ଭୋଟକେନ୍ଦ୍ର ଥିବାରୁ ଅଳ୍ପ ପର୍ଯ୍ୟାୟରେ ନିର୍ବାଚନ ଶେଷ କରିବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିସନର କହିଛନ୍ତି। ପଞ୍ଚାୟତ ନିର୍ବାଚନରେ ବାଲାଟ୍ ପେପରରେ ମତଦାନ ହେବ।

ଏହି ନିର୍ବାଚନ ପୂର୍ବରୁ ଆଉ ଏକ ବଡ଼ ପ୍ରସ୍ତୁତି ଚାଲିଛି— ଭୋଟର ତାଲିକାର ସୁଧାର। ଅକ୍ଟୋବର ଶେଷରୁ ନଭେମ୍ବର ଆରମ୍ଭ ମଧ୍ୟରେ ଘରକୁ ଘର ସର୍ଭେ କରାଯାଇ ଭୋଟରଙ୍କ ଠିକଣା, ୱାର୍ଡ ଏବଂ ବୁଥ୍ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋଟିଏ ଅଞ୍ଚଳର ଭୋଟରଙ୍କୁ ସେହି ଅଞ୍ଚଳର ଉପଯୁକ୍ତ ୱାର୍ଡ ଓ ବୁଥ୍‌ରେ ସଠିକ୍ ଭାବେ ସାମିଲ କରିବା। ଚୂଡ଼ାନ୍ତ ଭୋଟର ତାଲିକା ଫେବ୍ରୁଆରୀ ୧୦ ସୁଦ୍ଧା ପ୍ରକାଶ ପାଇବାର ଲକ୍ଷ୍ୟ ରହିଛି।

ନିର୍ବାଚନ ପ୍ରସ୍ତୁତିର ଆଉ ଏକ ବଡ଼ ପର୍ଯ୍ୟାୟ ହେଉଛି ଆସନ ସଂରକ୍ଷଣ। ପଞ୍ଚାୟତ ନିର୍ବାଚନର ବିଭିନ୍ନ ପଦ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ ସୁଦ୍ଧା ଶେଷ କରିବା ନେଇ ରାଜ୍ୟ ନିର୍ବାଚନ କମିସନ ପଞ୍ଚାୟତିରାଜ ବିଭାଗ ସହ ଆଲୋଚନା କରୁଛି।

ପଞ୍ଚାୟତ ଭୋଟ ପରେ ଆସିବ ପୌର ନିର୍ବାଚନର ପାଳି। ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ୧୫ ଦିନରୁ ଏକ ମାସ ମଧ୍ୟରେ ପୌର ନିର୍ବାଚନ କରିବା ନେଇ ଯୋଜନା ରହିଛି। ଏଥର ସମ୍ବଲପୁର, ରାଉରକେଲା ଓ ପୁରୀ ମହାନଗର ନିଗମର ନିର୍ବାଚନ ମଧ୍ୟ ହେବ। ପୌର ନିର୍ବାଚନରେ ଇଭିଏମ୍ ବ୍ୟବହାର କରାଯିବ।

ଅର୍ଥାତ୍‌ ଆସନ୍ତା କିଛି ମାସ ଓଡ଼ିଶାର ଗ୍ରାମଠାରୁ ସହର ଯାଏଁ ରାଜନୈତିକ ଭାବେ ବେଶ୍‌ ଗରମ ରହିବାକୁ ଯାଉଛି। ଶାସକ ବିଜେପି ପାଇଁ ଏହା ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ବଡ଼ ଗ୍ରାମୀଣ ନିର୍ବାଚନୀ ପରୀକ୍ଷା। ଅନ୍ୟପଟେ ବିଜେଡି ଓ କଂଗ୍ରେସ ପାଇଁ ମଧ୍ୟ ଗ୍ରାମୀଣ ସଂଗଠନ ଓ ଭୋଟବ୍ୟାଙ୍କର ପ୍ରଭାବ ପ୍ରମାଣ କରିବାର ବଡ଼ ସୁଯୋଗ।

୨୦୨୨ରେ ଶେଷ ଥର ପଞ୍ଚାୟତ ନିର୍ବାଚନ ହୋଇଥିଲା। ବର୍ତ୍ତମାନର ତିନି-ସ୍ତରୀୟ ପଞ୍ଚାୟତ ସଂସ୍ଥାଗୁଡ଼ିକର ପାଞ୍ଚବର୍ଷିଆ କାର୍ଯ୍ୟକାଳ ୨୦୨୭ରେ ଶେଷ ହେବ। ତେଣୁ ଆସନ୍ତା ନିର୍ବାଚନ କେବଳ ନୂଆ ପ୍ରତିନିଧି ବାଛିବାର ନିର୍ବାଚନ ନୁହେଁ; ଗ୍ରାମୀଣ ଓଡ଼ିଶାରେ କେଉଁ ଦଳର ସଂଗଠନ କେତେ ମଜବୁତ, ତାହାର ମଧ୍ୟ ଏକ ବଡ଼ ପରୀକ୍ଷା ହେବ।

Spread the love