50

ରାସ୍ତା କାମ ଶୀଘ୍ର ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ ଚେତାବନୀ!

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ବୁଡ଼ାଗୁଡ଼ା ପଞ୍ଚାୟତ ଅଞ୍ଚଳର ଚିତ୍ର। ବୁଡ଼ାଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟ ହାଟପଦାଠାରୁ କୁକେରମାହା ଦେଇ ବୁରାଙ୍ଗିଆ ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ରାସ୍ତା ନିର୍ମାଣ କାମ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିଲା। ହେଲେ ପ୍ରାୟ ଏକ ବର୍ଷ ହେବ ଠିକାଦାର ରାସ୍ତା କାମ ଅଧାରେ ଛାଡ଼ି ଅଞ୍ଚଳରୁ ଚାଲିଯାଇଥିବା ଅଭିଯୋଗ ହୋଇଛି।

ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ନିର୍ମାଣ ହେଉଥିବା ବେଳେ ବର୍ତ୍ତମାନ ଏହା ଅଧାପନ୍ତରିଆ ହୋଇ ପଡ଼ିଛି। ଏହି ରାସ୍ତା ଉପରେ ତିନିଟି ଗାଁର ପାଞ୍ଚ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଜରୁରୀ ସେବା ପାଇଁ ଏହି ରାସ୍ତା ହିଁ ଏକମାତ୍ର ଭରସା ବୋଲି ଗ୍ରାମବାସୀ କହିଛନ୍ତି।

କିନ୍ତୁ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ। କେଉଁଠି ମେଟାଲ ଓ ଗୋଡ଼ି ବାହାରି ପଡ଼ିଛି, ତ ଆଉ କେଉଁଠି ବଡ଼ ବଡ଼ ଖାଲଖମା ହୋଇଛି। ଏଭଳି ବିପଦସଙ୍କୁଳ ରାସ୍ତାରେ ଯାତାୟାତ କରି ଅନେକ ଲୋକ ଦୁର୍ଘଟଣାର ଶିକାର ହେବା ସହ ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସବୁଠାରୁ ଚିନ୍ତାଜନକ ସ୍ଥିତି ଦେଖାଦେଉଛି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସମୟରେ। ହଠାତ୍ କେହି ଅସୁସ୍ଥ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ପ୍ରସବ ବେଦନା ହେଲେ ଆମ୍ବୁଲାନ୍ସ କିମ୍ବା ଅଟୋ ଯୋଗେ ରୋଗୀଙ୍କୁ ନେବା କଷ୍ଟକର ହୋଇପଡ଼ୁଛି। ଫଳରେ ରୋଗୀଙ୍କୁ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଦୂର ପର୍ଯ୍ୟନ୍ତ ନେଇ ଯିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।

ରାସ୍ତା କାମ ଅଧାରେ ଛାଡ଼ି ଠିକାଦାର ଚାଲିଯିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ରାସ୍ତା କାମ ଆରମ୍ଭ କରି ସମ୍ପୂର୍ଣ୍ଣ କରିବାକୁ ସେମାନେ କନ୍ଧମାଳ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ନଚେତ୍ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ।

ଏବେ ଦେଖିବାର କଥା, ଗ୍ରାମବାସୀଙ୍କ ଦାବି ପରେ ପ୍ରଶାସନ କେବେ ଏହି ଅଧାପନ୍ତରିଆ ରାସ୍ତା କାମ ସମ୍ପୂର୍ଣ୍ଣ କରୁଛି।

Spread the love