77

ତ୍ରିରଙ୍ଗାରେ ରଙ୍ଗିନ ହେଲା ରଣପୁର, ଦେଶପ୍ରେମର ନାରାରେ କମ୍ପିଲା ସହର!

ନୟାଗଡ: ତ୍ରିରଙ୍ଗା ଧରି ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଲୋକ। ‘ଭାରତ ମାତା କି ଜୟ’ ଧ୍ୱନିରେ ମୁଖରିତ ହେଲା ରଣପୁର ସହର। ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ରବିବାର ନୟାଗଡ ଜିଲ୍ଲା ଅନର୍ଗତ ରଣପୁର ଏନ୍‌ଏସି ପକ୍ଷରୁ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅଞ୍ଚଳରେ ଦେଶପ୍ରେମର ପରିବେଶ ସୃଷ୍ଟି କରିଥିଲା।

ରଣପୁର ବସ୍‌ଷ୍ଟାଣ୍ଡରୁ ଏହି ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ଓ ବଜାର ପରିକ୍ରମା କରି ସହିଦ ରଘୁ ଦିବାକର ମଣ୍ଡପ ନିକଟରେ ପହଞ୍ଚିଥିଲା। ହାତରେ ତ୍ରିରଙ୍ଗା ଧରି ବିଭିନ୍ନ ବର୍ଗର ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।

ରଣପୁର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ଓଡ଼ିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଷ୍ଣୁପ୍ରସନ୍ନ ମହାପାତ୍ରଙ୍କ ସମେତ ବହୁ ଜନପ୍ରତିନିଧି, ଅଧିକାରୀ, କାଉନସିଲର ଓ ଏନ୍‌ଏସି କର୍ମଚାରୀ ଯୋଗଦେଇଥିଲେ।

ରଣପୁର ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀ, ବିସି ହାଇସ୍କୁଲର ଏନ୍‌ସିସି କ୍ୟାଡେଟ୍‌ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ମଧ୍ୟ ଉତ୍ସାହର ସହ ଏଥିରେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶରଣକୁଳ ପୁଲିସ ଉପଖଣ୍ଡୀୟ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ରଣପୁର ପୁଲିସ ଓ ଥାନା କର୍ମଚାରୀ ନିୟୋଜିତ ହୋଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇ ଜାତୀୟତା ଓ ଦେଶପ୍ରେମର ଭାବନାକୁ ମଜବୁତ କରିବା ଲକ୍ଷ୍ୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଅଗଷ୍ଟ ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନକୁ ନେଇ ରଣପୁରରେ ମଧ୍ୟ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।

 

Spread the love