100

ବାଲୁଗାଁ ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା ଆଲୋଚନାଚକ୍ର ଅନୁଷ୍ଠିତ!

ଖୋର୍ଦ୍ଧା: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାଲୁଗାଁ ମହାବିଦ୍ୟାଳୟ ନିର୍ବାଚନ ସାକ୍ଷରତା କ୍ଲବ ତରଫରୁ ଆଜି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ |

କ୍ଲବର ନୋଡାଲ ଅଫିସର ଅଧ୍ୟାପିକା ସୁନିତା ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଉଦ୍ଭିଦବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରବୀଣ କୁମାର ଜେନା, ଅଧ୍ୟାପିକା ଶୁଭ ଦର୍ଶିନୀ ବିଶ୍ୱାଳ, ଅଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପିକା ରୋଜାଲିନ ମିଶ୍ର ଏବଂ ଦୀପକ ପରିଡା ଯୋଗଦେଇଥିଲେ |

ବକ୍ତାମାନେ ନିର୍ବାଚନ ସାକ୍ଷରତା କ୍ଲବର ଉଦ୍ଦେଶ୍ୟ, ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟ, ଭୋଟର ପଞ୍ଜିକରଣ ଓ ସଂଶୋଧନ ପ୍ରକ୍ରିୟା, ନିର୍ବାଚନ-ମତଦାନ-ଗଣନାରେ ଯୁବପିଢ଼ିଙ୍କ ସହଭାଗିତା ଏବଂ ନୈତିକତାର ସହ ମତଦାନ କରି ସ୍ୱଚ୍ଛ ଗଣତାନ୍ତ୍ରିକ ସରକାର ଗଠନରେ ନାଗରିକଙ୍କ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ |

“ଗଣତାନ୍ତ୍ରିକ ସରକାର ଗଠନରେ ଛାତ୍ର ଓ ଯୁବଶକ୍ତିର ଭୂମିକା ଓ ଦାୟିତ୍ୱବୋଧ” ଶୀର୍ଷକ ଆଲୋଚନାରେ ଛାତ୍ରୀ ସୁମିତ୍ରା ବେହେରା, ଶୁଭଶ୍ରୀ ମହାପାତ୍ର, ଅଂଶୁମାନ ବାରିକ, ରୁଦ୍ରକାନ୍ତ ଖାଡ଼ଙ୍ଗା ଓ ତୃପ୍ତିମୟୀ ବେହେରା ପ୍ରମୁଖ ନିଜ ମତ ରଖିଥିଲେ |

ଏହି ଅବସରରେ ଅଧ୍ୟକ୍ଷ ଡକ୍ଟର ସୁବୁଦ୍ଧି ଆସନ୍ତା ସପ୍ତାହରେ କୁଇଜ, ତର୍କ, ପ୍ରବନ୍ଧ ଓ ପୋଷ୍ଟର ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love