ଖୋର୍ଦ୍ଧା: ଆସନ୍ତା ୧୫ ତାରିଖରେ ବାଲୁଗାଁ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ମହାବିଦ୍ୟାଳୟ ପରିସରରେ ଏବେଠାରୁ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ପ୍ରଚାର ଓ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ନିର୍ବାଚନକୁ ଅବାଧ, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକ ମଙ୍ଗଳବାର ମହାବିଦ୍ୟାଳୟ ପରିସର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ଥାନାର ଏସ୍ଆଇ ଜଗନ୍ନାଥ ସେଠୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ଆଇଆଇସି ମହାବିଦ୍ୟାଳୟର ଅଧ୍ୟକ୍ଷ, ମୁଖ୍ୟ କିରାଣୀ ଓ ବରିଷ୍ଠ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ମହାରଣାଙ୍କ ସହ ନିର୍ବାଚନ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ନିର୍ବାଚନ ଦିନ ମହାବିଦ୍ୟାଳୟ ପରିସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ବାହାର ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ନିର୍ବାଚନ ସମୟରେ ମହାବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପୋଲିସ ମୁତୟନ କରାଯିବ। ଏଥିସହ ନିର୍ବାଚନ ପ୍ରକ୍ରିୟାରେ ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଆଇନଶୃଙ୍ଖଳା ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।
ଛାତ୍ର ସଂସଦ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ରାଜନୈତିକ ଚଳଚଞ୍ଚଳତା ବଢ଼ିଥିବା ବେଳେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ନିର୍ବାଚନ ସମ୍ପନ୍ନ କରିବା ପୋଲିସ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ପ୍ରମୁଖ ଲକ୍ଷ୍ୟ ରହିଛି।