67

ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ, ସୁରକ୍ଷା ପାଇଁ ୨୨ କ୍ୟାମ୍ପ; ଶିକାରୀଙ୍କ ଉପରେ କଡ଼ା ନଜର

ଖୋର୍ଦ୍ଧା: ଶୀତ ଋତୁ ଆଗମନ ସହ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଉତ୍ତର ଇଉରୋପ, ସାଇବେରିଆ, କାସ୍ପିଆନ୍‌ ଅଞ୍ଚଳ, କାଜାଖସ୍ତାନ ଓ ରୁଷିଆର ବିଭିନ୍ନ ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ପକ୍ଷୀ ଚିଲିକାକୁ ଶୀତକାଳୀନ ଆଶ୍ରୟସ୍ଥଳ ଭାବେ ବାଛି ନେଇଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା ସହ ଶିକାର ରୋକିବା ପାଇଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜରେ ମୋଟ ୨୨ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା କ୍ୟାମ୍ପ ସ୍ଥାପନ କରାଯାଇଛି। ଏହା ସହ ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌ ଓ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ସକ୍ରିୟ କରାଯାଇଛି। ପ୍ରତ୍ୟେକ କ୍ୟାମ୍ପରେ ୨ରୁ ୩ ଜଣ ବନକର୍ମଚାରୀ ନିୟୋଜିତ ହୋଇ ପକ୍ଷୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଶିକାରୀଙ୍କୁ ରୋକିବା ପାଇଁ ଦିନରାତି ପାଟ୍ରୋଲିଂ କରୁଛନ୍ତି।

ସାମ୍ପ୍ରତିକ ତଥ୍ୟ ଅନୁସାରେ, ୨୨ଟି କ୍ୟାମ୍ପ ମଧ୍ୟରୁ ଟାଙ୍ଗୀ ରେଞ୍ଜରେ ୧୧ଟି, ବାଲୁଗାଁରେ ୪ଟି, ରମ୍ଭାରେ ୩ଟି ଏବଂ ସାତପଡ଼ା ଓ ଚିଲିକା ରେଞ୍ଜରେ ୨ଟି ଲେଖାଏଁ କ୍ୟାମ୍ପ ରହିଛି। ଏହି କ୍ୟାମ୍ପଗୁଡ଼ିକ ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକ୍ଷମ ହୋଇଛି ଏବଂ ପକ୍ଷୀମାନେ ଫେରିବା ପର୍ଯ୍ୟନ୍ତ, ଅର୍ଥାତ୍‌ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଜାରି ରହିବ।

ଏନେଇ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବାଲୁଗାଁ ମହାବିଦ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ, କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର DFO ଅମ୍ଲାନ ନାୟକ ଏହି ସୂଚନା ଦେଇଛନ୍ତି।

ଚିଲିକାରେ ପକ୍ଷୀ ଶିକାରକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଉଛି। ଚିଲିକାର ଜୈବ ବିବିଧତା ଓ ପକ୍ଷୀଙ୍କ ଆବାସସ୍ଥଳୀର ସୁରକ୍ଷା ପାଇଁ ନିୟମିତ ମନିଟରିଂ, ପାଟ୍ରୋଲିଂ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଚିଲିକା ଦେଶର ଅନ୍ୟତମ ପ୍ରମୁଖ ଶୀତକାଳୀନ ପକ୍ଷୀ ଆଶ୍ରୟସ୍ଥଳୀ ହୋଇଥିବାରୁ ଏହାର ସୁରକ୍ଷାକୁ ବନ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।

ଉଲ୍ଲେଖଯୋଗ୍ୟ, ୨୦୨୬ ମସିହାର ମଧ୍ୟ-ଶୀତକାଳୀନ ପକ୍ଷୀ ଗଣନାରେ ପ୍ରାୟ ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀ ଏବଂ ୧୯୬ ପ୍ରଜାତି ରେକର୍ଡ କରାଯାଇଥିଲା। ଏଥିରୁ ୧୦୬ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ ବିଦେଶାଗତ ବୋଲି ଜଣାପଡ଼ିଥିଲା।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ACF ଅଧିକାରୀ, ବିଭିନ୍ନ ରେଞ୍ଜର ଅଧିକାରୀ ଓ ବନ ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ।

 

 

 

Spread the love