96

କର୍ତ୍ତବ୍ୟରତ ପୋଲିସକୁ ଆକ୍ରମଣ ଓ ଧମକ, ଜଣେ ଗିରଫ!

ଖୋର୍ଦ୍ଧା: କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲିପାଟଣା ଥାନା ଅନ୍ତର୍ଗତ ପୁବାଗଡ଼ ଗ୍ରାମର ବ୍ରଜ କିଶୋର ସ୍ୱାଇଁ (୩୬)। ପୋଲିସ ତାଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଏକ ଲୁହା ରଡ୍ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପୁବାଗଡ଼ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ବାଲିପାଟଣା ଥାନାର ପିସିଆର୍-୪୩ ଟିମ୍‌କୁ ସୂଚନା ମିଳିଥିଲା। ଖବର ପାଇ ପିସିଆର୍ ଟିମ୍‌ରେ ଥିବା ପ୍ରଶାନ୍ତ କୁମାର ଦାସ, ହୋମ୍ ଗାର୍ଡ ମନୋଜ କୁମାର ବେହେରା ଏବଂ ଡ୍ରାଇଭର ସୁକାନ୍ତ ଭୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସେଠାରେ ଅଭିଯୁକ୍ତ ବ୍ରଜ କିଶୋର ଏକ ଲୁହା ରଡ୍ ଧରି ଉତ୍ପାତ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲେ।ପୋଲିସ ଟିମ୍ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏତିକିରେ ନିବୃତ୍ତ ନ ରହି ଅଭିଯୁକ୍ତ ଜଣକ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କ କଲର ଧରି ଟଣାଓଟରା କରିବା ସହ ଲୁହା ରଡ୍ ଦେଖାଇ ସମସ୍ତ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ପରିସ୍ଥିତି ଜଟିଳ ହେବାରୁ ପୋଲିସ ଟିମ୍ ସେଠାରୁ ଫେରିଆସି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ବାଲିପାଟଣା ଥାନାରେ କେସ୍ ନଂ-୨୯୮/୨୦୨୬ରେ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ବ୍ରଜ କିଶୋରଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଲୁହା ରଡ୍‌କୁ ଜବତ କରିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି।

Spread the love