ଭୁବନେଶ୍ୱରଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ବଡ଼ ପଦକ୍ଷେପ ନେଇଛି। ଜୁଲାଇ ୧, ୨୦୨୬କୁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ବାଚନ ତାଲିକା ସଂଶୋଧନ ପ୍ରକ୍ରିୟାର ତଦାରଖ ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ-ସହ-ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନଙ୍କ କ୍ଷମତା ବଳରେ ଏହି ନିଯୁକ୍ତି କରାଯାଇଛି। ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ରାଜେଶ ପ୍ରଭାକର ପାଟିଲ, ଅରବିନ୍ଦ ଅଗ୍ରୱାଲ, ବଲବନ୍ତ ସିଂହ, ବି. ପରମେଶ୍ୱରନ, ବିଜୟ କେତନ ଉପାଧ୍ୟାୟ, ଡି. ପ୍ରସାନ୍ତ କୁମାର ରେଡ୍ଡୀ, ସୁଧାଂସୁ ମୋହନ ସାମଲ, ରଶ୍ମିତା ପଣ୍ଡା, ମହମ୍ମଦ ସାଦିକ୍ ଆଲାମ୍ ଏବଂ ସଂଗ୍ରାମ କେଶରୀ ମହାପାତ୍ର ରହିଛନ୍ତି।
ନିର୍ଦ୍ଦେଶାବଳୀ ଅନୁଯାୟୀ, ପର୍ଯ୍ୟବେକ୍ଷକମାନେ ତିନିଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବେ। ଦାବି ଓ ଆପତ୍ତି ଗ୍ରହଣ ପର୍ଯ୍ୟାୟ, ଦାବି-ଆପତ୍ତିର ନିଷ୍ପତ୍ତି ପର୍ଯ୍ୟାୟ ଏବଂ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ପୂର୍ବରୁ ବୁଥ୍ ସ୍ତରରେ ଯାଞ୍ଚ ପର୍ଯ୍ୟାୟରେ ସେମାନେ ନିୟମିତ ଗସ୍ତ କରିବେ।
କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନ ରହି ପର୍ଯ୍ୟବେକ୍ଷକମାନଙ୍କୁ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିବାକୁ କୁହାଯାଇଛି। ଏଥିସହ ବର୍ତ୍ତମାନର ସାଂସଦ, ବିଧାୟକ ଏବଂ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରି ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଅଭିଯୋଗ ଶୁଣିବା ଓ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟର ସଂଖ୍ୟା ଜିଲ୍ଲା ହାରାହାରିଠାରୁ ୧ ପ୍ରତିଶତ ଅଧିକ କିମ୍ବା କୌଣସି ନିର୍ବାଚନମଣ୍ଡଳୀରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିବ, ସେହି ରିପୋର୍ଟଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ କରିବେ ପର୍ଯ୍ୟବେକ୍ଷକମାନେ। ପ୍ରତ୍ୟେକ ଗସ୍ତ ପରେ ସେମାନଙ୍କୁ ନିର୍ଦ୍ଧାରିତ ଚେକ୍ଲିଷ୍ଟ ଆଧାରରେ ବିସ୍ତୃତ ରିପୋର୍ଟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାଖଲ କରିବାକୁ ପଡ଼ିବ।
ଏହି ପ୍ରକ୍ରିୟାକୁ ନେଇ ଜୁଲାଇ ୪ ତାରିଖ ଅପରାହ୍ନ ୪ଟାରେ ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ଡକାଯାଇଛି। ଏହି ବୈଠକରେ ସେମାନଙ୍କୁ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବା ସହ ନିଜ ନିଜ ଗସ୍ତ କାର୍ଯ୍ୟସୂଚୀ ସିଇଓ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି।