32

ଭୁବନେଶ୍ୱରରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିନବ ପ୍ରତିବାଦ, କୃତ୍ରିମ ଜେଲ୍‌ରେ ବନ୍ଦୀ ଦର୍ଶାଇଲେ ଆନ୍ଦୋଳନକାରୀ!

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଭିନବ ପ୍ରତିବାଦ। ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଶନିବାର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏକାଠି ହୋଇଥିଲେ ରାଜ୍ୟର କିଛି ସଚେତନ ନାଗରିକ ଓ ଯୁବକ। ଏହି ଅବସରରେ ଜ୍ଞାନେଶ କୁମାରଙ୍କୁ ଏକ କୃତ୍ରିମ ଜେଲ୍‌ରେ ବନ୍ଦୀ ଭାବେ ଦର୍ଶାଇ ଶୋଭାଯାତ୍ରା କରାଯାଇଥିଲା।

ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରିଥିଲେ ପ୍ରତିବାଦକାରୀ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସହ ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରତିବାଦକୁ ପ୍ରତୀକାତ୍ମକ ରୂପ ଦେବା ପାଇଁ ଆୟୋଜକମାନେ କୃତ୍ରିମ କାରାଗାର ତିଆରି କରି ସେଥିରେ ଜ୍ଞାନେଶ କୁମାରଙ୍କୁ ବନ୍ଦୀ ଭାବେ ଉପସ୍ଥାପନ କରିଥିଲେ। ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା। ନିର୍ବାଚନ ବ୍ୟବସ୍ଥାରେ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ନାଗରିକମାନେ ଏକଜୁଟ ହେବା ଆବଶ୍ୟକ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ଦେଇଥିଲେ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନିଶିକାନ୍ତ ମହାପାତ୍ର, ମନ୍ମଥ ରାଉତରାୟ, ସତୀଶ ମିଶ୍ର, ସୌମ୍ୟ ରଞ୍ଜନ ସ୍ୱାଇଁ, ଶ୍ରୀକାନ୍ତ ପାଣି, ସନ୍ଦୀପ୍ତ ଦାସ, କଲ୍ୟାଣ ଆନନ୍ଦ, ଜୟସୂର୍ଯ୍ୟ କାନୁନଗୋ, ମୋନାଲିସା ଗନ୍ତାୟତ ଓ ଜ୍ୟୋତିର୍ମୟୀ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love