37

ବରିଗାଁ ମଣ୍ଡଳରେ ବିଜେପିର ମିଶ୍ରଣ ପର୍ବ, ୧୫୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ଯୋଗଦାନ!

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ମଣ୍ଡଳରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ୧୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଥିବା ଦଳ ପକ୍ଷରୁ ସୂଚନା ମିଳିଛି। ଦଳର ନୀତି, ଆଦର୍ଶ ଓ ବିଚାରଧାରାରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ସାମିଲ ହୋଇଥିବା କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ବୋରିଗାଁ ମଣ୍ଡଳ ସଭାପତି ଶ୍ରୀ ଜଗଦୀଶ ଭତ୍ରା ଅଧ୍ୟକ୍ଷତା କରିବା ସହ ବୈଠକର ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଜେପିର ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀ କୁଞ୍ଜବିହାରୀ ଦାଶ ଯୋଗଦେଇଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ଭତ୍ରା ଏବଂ ବୋରିଗାଁ ମଣ୍ଡଳ ପ୍ରଭାରୀ ଶ୍ରୀ ସୋମନାଥ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ମଣ୍ଡଳର ବହୁ ବରିଷ୍ଠ ନେତା, ଦଳୀୟ କାର୍ଯ୍ୟକର୍ତ୍ତା ଓ ସାତଟି ଶକ୍ତିକେନ୍ଦ୍ରର ପ୍ରମୁଖମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା, ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ କରିବା ଏବଂ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ମଣ୍ଡଳର ବିଭିନ୍ନ ପଞ୍ଚାୟତରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ନେଇ କାର୍ଯ୍ୟକର୍ତ୍ତାମାନେ ଆଲୋଚନା କରିଥିଲେ।

ବରିଗାଁ ମଣ୍ଡଳ ଅନ୍ତର୍ଗତ ଜୁନାପାଣି, ବୋରିଗାଁ, ଘୋଡ଼ାଖୁଣ୍ଟା, କୋଇଲାରୀ, ନନ୍ଦପୁରା, ବଡ଼ ଓଲମା ଓ ଜବାଗୁଡ଼ା ପଞ୍ଚାୟତରୁ ବିଜେଡି ଓ କଂଗ୍ରେସ ଦଳର ୧୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିବା କୁହାଯାଇଛି। ନୂତନ ଭାବେ ଯୋଗଦେଇଥିବା କର୍ମୀମାନଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିବା ସହ ସେମାନଙ୍କ ସହଯୋଗରେ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ମିଶ୍ରଣ ପର୍ବ ମାଧ୍ୟମରେ ବରିଗାଁ ମଣ୍ଡଳରେ ବିଜେପି ନିଜର ସାଂଗଠନିକ ବିସ୍ତାର ଉପରେ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଛି। ମଣ୍ଡଳର ସମସ୍ତ ପଞ୍ଚାୟତରେ ଦଳର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ସହ ନୂତନ କର୍ମୀଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ପାଇଁ ଦଳୀୟ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।

 

 

 

Spread the love