ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ରାଜ୍ୟ ରାଜପଥ-୩୯ର ଝରିଗୁଡ଼ା ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ୪୦ ମିନିଟ୍ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସୁଜୁକି-୮୦୦ କାର୍ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେବାରୁ କାର୍ରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତକ ଦମ୍ପତି ହେଲେ ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ା ନିବାସୀ ସୁଶାନ୍ତ ପାଣିଗ୍ରାହୀ (୪୮) ଓ ତାଙ୍କ ପତ୍ନୀ ମିନାକ୍ଷୀ ପାଣିଗ୍ରାହୀ (୪୨)। ସେମାନେ ନିଜ କାର୍ (ନମ୍ବର- OD-10-D-9192) ଯୋଗେ ଶୁକ୍ରବାର ସକାଳେ ଉମରକୋଟ ଅଞ୍ଚଳକୁ ଏଲ୍ଆଇସି ପରୀକ୍ଷା ଦେବା ପାଇଁ ଯାଇଥିଲେ। ପରୀକ୍ଷା ଶେଷ କରି ଘରକୁ ଫେରୁଥିବା ସମୟରେ ଝରିଗୁଡ଼ା ନିକଟରେ କାର୍ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ଉଭୟଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ମୃତ ସୁଶାନ୍ତ ପାଣିଗ୍ରାହୀଙ୍କ ପରିବାରରେ ଜଣେ ପୁଅ ଅଛନ୍ତି। ଦମ୍ପତିଙ୍କ ଅକାଳ ବିୟୋଗରେ ପରିବାରବର୍ଗ, ସମ୍ପର୍କୀୟ ଓ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ମୃତକଙ୍କ ଭାଇ ସନ୍ତୋଷ ପାଣିଗ୍ରାହୀ ଏନେଇ ଡାବୁଗାଁ ଥାନାକୁ ଜଣାଇଥିବା ସୂଚନା ମିଳିଛି।
ତେବେ କାର୍ଟି କେଉଁ କାରଣରୁ ଭାରସାମ୍ୟ ହରାଇଥିଲା, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।