41

୫୭ତମ ଜିଏସ୍‌ଟି ପରିଷଦ ବୈଠକରେ ଓଡ଼ିଶାର ପକ୍ଷ ରଖିଲେ ପୃଥ୍ୱୀରାଜ ହରିଚନ୍ଦନ!

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁବାର ୫୭ତମ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଜିଏସ୍‌ଟି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ କରଦାତାଙ୍କ ପାଇଁ ଅନୁକୂଳ କରିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିନିଧି ଭାବେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୈଠକରେ ଯୋଗଦେଇ ଜିଏସ୍‌ଟି ସଂସ୍କାର ସମ୍ପର୍କରେ ଓଡ଼ିଶାର ମତାମତ ରଖିଥିଲେ।

ଛୋଟ ବ୍ୟବସାୟୀ, ଏମ୍‌ଏସ୍‌ଏମ୍‌ଇ ଓ ପ୍ରକୃତ କରଦାତାମାନେ ସମ୍ମୁଖୀନ ହେଉଥିବା ଅନୁପାଳନ ସମସ୍ୟାକୁ ହ୍ରାସ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାସହ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ଅନୁଯାୟୀ ବ୍ୟବସାୟିକ ପରିବେଶକୁ ସହଜ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।

ବୈଠକରେ ଯୋଗ୍ୟ କରଦାତାଙ୍କୁ ଶୀଘ୍ର ଓ ସ୍ୱଚ୍ଛ ଭାବେ ଜିଏସ୍‌ଟି ରିଫଣ୍ଡ ପ୍ରଦାନ ପାଇଁ ସିଷ୍ଟମ୍‌ ଆଧାରିତ ପ୍ରକ୍ରିୟା ଓ ଅନୁମୋଦନ ବ୍ୟବସ୍ଥା ଉପରେ ପ୍ରସ୍ତାବ ରହିଥିଲା। ଏହାସହ ଜିରୋ-ରେଟେଡ୍‌ ସପ୍ଲାଏରେ ବ୍ୟବହୃତ କ୍ୟାପିଟାଲ ଗୁଡ୍ସ ଉପରେ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ (ITC) ରିଫଣ୍ଡ ଏବଂ ଇନ୍‌ଭର୍ଟେଡ୍‌ ଡ୍ୟୁଟି ଷ୍ଟ୍ରକ୍ଚରରେ ଇନ୍‌ପୁଟ୍‌ ସର୍ଭିସ୍‌ ଓ କ୍ୟାପିଟାଲ ଗୁଡ୍ସ ଉପରେ ଆଇଟିସି ସୁବିଧା ନେଇ ମଧ୍ୟ ଆଲୋଚନା ହୋଇଛି।

ଜିଏସ୍‌ଟି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା ସହ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଓ ବ୍ୟବହାରିକ ଟୁଲ୍‌ ଯୋଗାଇବା ପ୍ରସ୍ତାବ ରହିଛି। ଏହା ଗ୍ରାମୀଣ ଓ ଅର୍ଦ୍ଧ-ସହରାଞ୍ଚଳର ବ୍ୟବସାୟୀଙ୍କ ପାଇଁ ବିଶେଷ ଭାବେ ଉପକାରୀ ହେବ ବୋଲି କୁହାଯାଇଛି।

ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ଏବଂ ଦାୟିତ୍ୱ ଓ ଆଇଟିସି ସଂଶୋଧନ ପାଇଁ ବିକଳ୍ପ ବ୍ୟବସ୍ଥା ସମ୍ପର୍କିତ ସୁପାରିସ୍‌ ମଧ୍ୟ ବୈଠକରେ ଆଲୋଚିତ ହୋଇଛି। ଏହି ସୁପାରିସ୍‌ ପ୍ରସ୍ତୁତ କରିଥିବା ଜିଏଷ୍ଟି ରିଟାର୍ଣ୍ଷ ଆଣ୍ଡ ପ୍ରୋସେସେସ ୱାର୍କିଂ ଗ୍ରୁପ୍‌ରେ ଓଡ଼ିଶା ଯିଏଷ୍ଟି ଟିମ୍‌ ମଧ୍ୟ ସଦସ୍ୟ ଥିଲା।

ଏଥିସହ ଯିଏଷ୍ଟି ଲ କମିଟି ଜରିଆରେ ରିଫଣ୍ଡ ପ୍ରକ୍ରିୟା ସଂସ୍କାରରେ ମଧ୍ୟ ଓଡ଼ିଶା ଅବଦାନ ରଖିଥିବା ଜଣାପଡ଼ିଛି। ଅର୍ଥନୈତିକ ଅପରାଧର ଯେଉଁ ମାମଲାଗୁଡ଼ିକୁ ଯିଏଷ୍ଟି ଆଇନ ଅନୁଯାୟୀ ସମାଧାନ କରାଯାଇପାରିବ, ସେସବୁ କ୍ଷେତ୍ରରେ ଗିରଫ ବ୍ୟବସ୍ଥା ହଟାଇବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି।

ପ୍ରସ୍ତାବିତ ସଂସ୍କାରଗୁଡ଼ିକ ଲାଗୁ ହେଲେ ଜିଏସ୍‌ଟି ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସରଳ ଓ ଉତ୍ତରଦାୟୀ ହେବା ସହ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଓ ଛୋଟ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ପ୍ରକାଶ ପାଇଛି ।

 

Spread the love