ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ ଯୋଗଦେଇଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଗୁରୁବାର ସେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ସାକ୍ଷାତ କରିଛନ୍ତି।

ଅକ୍ଟୋବର ୮ ଓ ୯ ତାରିଖରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-କମ୍-ସଚିବ ମୃଣାଳିନୀ ଦର୍ସୱାଲ ମଧ୍ୟ ସମ୍ମିଳନୀରେ ଯୋଗଦେଇଛନ୍ତି।
ସମ୍ମିଳନୀରେ ପୋଷଣ, ଶିଶୁ ସୁରକ୍ଷା, ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେଉଛି। ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ରୂପାନ୍ତରଣ, ପୋଷଣ ଓ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ପ୍ରଭାବଶାଳୀ ଆଇନଗତ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି।
ଏହାସହ ମହିଳାକୈନ୍ଦ୍ରିକ ସଶକ୍ତିକରଣ ଯୋଜନାଗୁଡ଼ିକର ପ୍ରଭାବ ବଢ଼ାଇବା ନେଇ ମଧ୍ୟ ବିଚାରବିମର୍ଶ ହେଉଛି। ସମ୍ମିଳନୀରେ ଓଡ଼ିଶାର ଅଭିଜ୍ଞତା ଓ ବିଭିନ୍ନ ନୂଆ ପଦକ୍ଷେପ ଉପସ୍ଥାପନ କରିବା ସହ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଫଳ ଅଭିଜ୍ଞତାରୁ ଶିଖିବାର ସୁଯୋଗ ମିଳୁଛି।
ସମ୍ମିଳନୀ ଶେଷରେ ମହିଳା ଓ ଶିଶୁଙ୍କ ସେବା, ସୁରକ୍ଷା ଓ କଲ୍ୟାଣକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବା ସହ ନିର୍ଦ୍ଦିଷ୍ଟ ଦାୟିତ୍ୱ, ସମୟସୀମା ଓ ତଦାରଖ ବ୍ୟବସ୍ଥା ନିର୍ଦ୍ଧାରଣ କରାଯିବ।