ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ବ୍ରାଉନସୁଗାର ବିରୋଧରେ ପୋଲିସର ବଡ଼ଧରଣର ଚଢ଼ାଉ। ଚିଲିକା ଜେଟି ଓ ବାଲୁଗାଁ କଲେଜ ନିକଟରେ ଚଢ଼ାଉ କରି ପୋଲିସ ୩୦.୦୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ଖୋର୍ଦ୍ଧା ଏସ୍ପି ପରମାର ସ୍ମିତ ପର୍ଶୋତ୍ତମଦାସ, ଆଇପିଏସ୍ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଆଇଆଇସି ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।
ବିଶ୍ୱସ୍ତ ସୂତ୍ରରୁ ନିଶା କାରବାର ସମ୍ପର୍କରେ ସୂଚନା ପାଇ ଏସ୍ଆଇ ରସ୍ନା ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏନ୍ଡିପିଏସ୍ ଆଇନର ନିୟମ ଅନୁଯାୟୀ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଦୁଇ ଜଣ ସନ୍ଦିଗ୍ଧ ଯୁବକ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।
ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ବେଳେ ବଳଭଦ୍ର ପରିଡ଼ା ଓରଫ ଟିଟୁ ଓରଫ ସୁନୁ (୨୧)ଙ୍କ ନିକଟରୁ ୩୦.୦୪ ଗ୍ରାମ ବ୍ରାଉନସୁଗାର ଓ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଥିଲା। ସେହିପରି ଅନ୍ୟ ଅଭିଯୁକ୍ତ ବାବୁ ଦାସ ଓରଫ ଅଗଧୁ (୨୪)ଙ୍କ ନିକଟରୁ ଗୋଟିଏ ଲାଭା ମୋବାଇଲ ଫୋନ୍ ଏବଂ OD-02-CU-8753 ନମ୍ବର ବିଶିଷ୍ଟ ସୁଜୁକି ଆକ୍ସେସ୍ ସ୍କୁଟି ଜବତ କରାଯାଇଛି।
ଏହି ଘଟଣାକୁ ନେଇ ବାଲୁଗାଁ ଥାନାରେ କେସ୍ ନମ୍ବର ୩୭୭/୨୫.୦୮.୨୦୨୬ ରେ ଏନ୍ଡିପିଏସ୍ ଆଇନର ଧାରା ୨୦(b)(II)(B) ଅନୁଯାୟୀ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ନିଶା କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ବାଲୁଗାଁ ପୋଲିସ ତଦନ୍ତ ଜାରି ରଖିଛି।