65

ପଲଟିଲା ବନ୍ଧା କୋବି ବୋଝେଇ ପିକଅପ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲଫର!

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। କେତେବେଳେ ରାସ୍ତାରେ ଗାଈ ମରୁଛି, ତ ଆଉ କେତେବେଳେ ଦୁର୍ଘଟଣାରେ ଗଡ଼ିଯାଉଛି ଗାଡ଼ି। ଏପରିକି ବେଳେବେଳେ ଦୁର୍ଘଟଣାରେ ଲିଭିଯାଉଛି କାହାର ମଥାର ସିନ୍ଦୂର, ଆଉ ମା’ କୋଳ ହେଉଛି ପୁଅଛେଉଣ୍ଡ।

ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣାକୁ ନେଇ ଭିନ୍ନ ଭିନ୍ନ କାରଣ ସାମ୍ନାକୁ ଆସୁଛି। କେହି ଏଥିପାଇଁ NHAIର ଅପାରଗତାକୁ ଦାୟୀ କରୁଥିବା ବେଳେ, ଆଉ କେହି ବେପରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚାଳନାକୁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କହୁଛନ୍ତି। ଅନ୍ୟପଟେ ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ଯାତାୟାତ ମଧ୍ୟ ଦୁର୍ଘଟଣାର ଆଉ ଏକ ପ୍ରମୁଖ କାରଣ ପାଲଟିଛି।

ଆଜି ସନ୍ଧ୍ୟାରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OD-02-CJ-9454 ନମ୍ବରର ଏକ ପିକ୍‌ଅପ୍‌ ଭ୍ୟାନ୍‌ ବନ୍ଧାକୋବି ଲୋଡ୍‌ ନେଇ ଦ୍ରୁତ ଗତିରେ ଆସୁଥିଲା। ହରିକୁଣ୍ଡ-ବରଡ଼ିହ ଓଭରବ୍ରିଜ୍‌ ଶେଷରେ ହଠାତ୍‌ ରାସ୍ତା ଉପରକୁ ଏକ ଗାଈ ଚାଲିଆସିଥିଲା। ଗାଈକୁ ବଞ୍ଚାଇବାକୁ ଯାଇ ଚାଳକ ଗାଡ଼ିର ଭାରସାମ୍ୟ ହରାଇଥିଲେ। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତାର ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଗାଡ଼ିର ଚାଳକ ଓ ହେଲପର୍‌ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇବା ପରେ ନାଚୁଣୀ ଥାନାର କର୍ମଚାରୀ ଓ ପେଟ୍ରୋଲିଂ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜାତୀୟ ରାଜପଥର ସୁରକ୍ଷା ବ୍ୟବସ୍ଥା, ଯାନବାହନର ବେଗ ନିୟନ୍ତ୍ରଣ ଏବଂ ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ଯାତାୟାତ ରୋକିବା ନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Spread the love