ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବ୍ଲକ ଅନ୍ତର୍ଗତ କୋଶରଡା ସଂରକ୍ଷିତ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ଧରଣର ମିଳିତ ଚଢ଼ାଉ କରାଯାଇଛି।
ଜଙ୍ଗଲ ଭିତରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବାଲୁଗାଁ, ଟାଙ୍ଗୀ, ଜଟଣୀ, ବେଗୁନିଆ ଓ ଜିଲ୍ଲା ମୋବାଇଲ ୟୁନିଟକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ର ସଦସ୍ୟମାନେ ଜଙ୍ଗଲର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ—ଚାରି ପାର୍ଶ୍ୱରୁ ଏକକାଳୀନ ଭାବେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ମଦ ଭାଟି ଚଳାଉଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ କାହାରି ଗିରଫଦାରୀ ହୋଇପାରିନଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
ଏହି ଚଢ଼ାଉରେ ମୋଟ ୮ଟି ମାମଲା ରୁଜୁ ହୋଇଛି। ବାଲୁଗାଁ ଅବକାରୀ ଥାନାର P.R. No. 133ରୁ 136/26-27, ଟାଙ୍ଗୀ ଅବକାରୀ ଥାନାର P.R. No. 50/26-27 ଏବଂ ମୋବାଇଲ ୟୁନିଟର P.R. No. 209ରୁ 211/26-27 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି।
ଚଢ଼ାଉ ବେଳେ ୨୫,୦୦୦ କେଜି ପୋଚ୍ ୱାସ୍ ଏବଂ ୩,୦୯୦ ଲିଟର ପ୍ରସ୍ତୁତ ଦେଶୀ ମଦ (IDL) ଜବତ କରାଯାଇଥିଲା। ପରେ ଏସବୁକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଜବତ ମଦ ଓ ପୋଚ୍ ୱାସ୍ର ଆନୁମାନିକ ବଜାର ମୂଲ୍ୟ **୧୮ ଲକ୍ଷ ୬୮ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଚଢ଼ାଉରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ପ୍ରଭା ମିଶ୍ର ଉପସ୍ଥିତ ଥିବାବେଳେ, ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଲୁଗାଁ OIC ସୌମ୍ୟ ରଞ୍ଜନ ବେହେରାଙ୍କ ସମେତ ଅବକାରୀ ବିଭାଗର ସମସ୍ତ ଷ୍ଟାଫ୍ ସାମିଲ ହୋଇଥିଲେ।
ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।