କର୍ତବ୍ୟ ନ୍ୟୁଜ ବ୍ୟୁରୋ: ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଶେଷରେ ଭୁଲ ମାଗିଲେ ଓଲିଉଡ୍ ଅଭିନେତା ମନୋଜ ମିଶ୍ର । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡୀ ପୁଅ ଅନନ୍ତା’କୁ ନେଇ ମନୋଜ ବ୍ରିଭାନ୍ତିକର ମନ୍ତବ୍ୟ ଦେଇଥିଲେ । ତେବେ ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ କୌଣସି ଲେଖାକୁ ପ୍ରଶ୍ନ କରିବାର ଧୃଷ୍ଟତା ମୋର ନାହିଁ । କାରଣ ମୋର ସେତିକି ଜ୍ଞାନ ନାହିଁ । ବ୍ୟାସକବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ । ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ଯେତିକି ସାହିତ୍ୟରେ ଜ୍ଞାନ ରହିବା କଥା । ମୋର ତାଠୁ ବି କମ୍ ଜ୍ଞାନ ରହିଛି । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ, ତେବେ ସେଥିପାଇଁ ମୁଁ ଦୁଃଖିତ । ମୁଁ ହାତ ଯୋଡ଼ି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି ବୋଲି ମନୋଜ ମିଶ୍ର କହିଛନ୍ତି ।
ସୂଚନା ଅନୁସାରେ, ମନୋଜ ମିଶ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା । ନଭେମ୍ବର ୧୨ରେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ । ଏହାପରେ ନଭେମ୍ବର ୧୩ରେ ପ୍ରେସମିଟ୍ କରି ବର୍ଷିଥିଲେ ଅଭିନେତା ମନୋଜ ମିଶ୍ର |