ନବରଙ୍ଗପୁର :ଚାଉଳ କୁ ନେଇ ମିଲ ମାଲିକ ଓ ଷ୍ଟୋରେଜ ଗୋଦାମ ମାଲିକ ମଧ୍ୟ ରେ ଛକାପଞ୍ଝା | ୨୯୦ କୁଇଣ୍ଟାଲ ଚାଉଳ କରାଯାଇଛି ରିଜେକ୍ଟ | ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ବୁର୍ଜା ଠାରେ ଥିବା ଚାଉଳ ଷ୍ଟୋରେଜ ଗୋଦାମ ଠାରେ। ସୂଚନା ଅନୁଯାଇ ଚାଉଳ ଓହ୍ଲାଇବା କୁ ନେଇ ମିଲ୍ ମାଲିକ ଓ ଷ୍ଟୋରେଜ ଗୋଦାମ ମାଲିକ ମଧ୍ୟରେ ଛକାପଞ୍ଝା ଯୋଗୁଁ ଷ୍ଟୋରେଜ ଗୋଦାମରେ ଚାରି ଦିନ ଧରି ଅଟକି ରହିଲା ଚାଉଳ ବୋଝେଇ ଟ୍ରକ । ପରେ ଜିଲ୍ଲା ଯୋଗାଣ ଅଧିକାରୀ ଓ କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀଙ୍କ ଉପସ୍ଥିତିରେ ଚାଉଳର ମାନ ଯାଞ୍ଚ ପରେ ଚାଉଳ କୁ ଖରାପ ଦର୍ଶାଇ ଫେରେଇ ଦିଆଯାଇଛି । ଘଟଣା ଅନୁସାରେ ଚାରି ଦିନ ପୂର୍ବରୁ କୁନ୍ଦେଇ ଗ୍ରାମର ଅନିଲ କୁମାର ସ୍ୱାଇଁଙ୍କ ମିଲରୁ ଲଟ ନମ୍ବର ୨୨ ର ୨୯୦ କୁଇଣ୍ଟାଲ ଚାଉଳ ବୁର୍ଜା ସ୍ଥିତ ଗୋଦାମ କୁ ଆସିଥିଲା କିନ୍ତୁ କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ ଏହାର ମାନ ଠିକ ନାହିଁ ବୋଲି କହିବା ପରେ ଷ୍ଟୋରେଜ ଗୋଦାମ ମାଲିକ ଅଜିତ ମହାପାତ୍ର ତାକୁ ଖରାପ ଚାଉଳ କହି ଫେରେଇ ନେବାକୁ କହିଥିଲେ । କିନ୍ତୁ ଉକ୍ତ ମିଲ ମାଲିକ ଅନିଲ ସ୍ୱାଇଁ ଚାଉଳ ଟ୍ରକ୍ କୁ ଫେରେଇ ନେବା ବଦଳରେ ମୋ ମିଲରୁ ଆସିଥିବା ଚାଉଳ ଠିକ ଅଛି କହି ଗୋଦାମରେ ଖାଲି କରିବାକୁ ଅଡ଼ି ବସିଥିଲେ ଏବଂ ଶୁକ୍ରବାର ରାତିରେ ଚାଉଳ ଭର୍ତ୍ତି ଟ୍ରକକୁ ଡ୍ରାଇଭର ଜଣକ ଗୋଦାମ ର ଫାଟକ ପାଖରେ ରଖି ଚାଲି ଯାଇଥିଲେ । ଦୀର୍ଘ ଚାରିଦିନ ପରେ ମଧ୍ୟ ମିଲର ଓ ଗୋଦାମ ମାଲିକ ଙ୍କ ମଧ୍ୟରେ କୌଣସି ସମାଧାନ ନବାହାରିବାରୁ ଶେଷରେ ଜିଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ମିଲନ କୁମାର ମାଝୀ, କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ, ଷ୍ଟୋରେଜ ମାଲିକ ଅଜିତ ମହାପାତ୍ର, ଅନିଲ କୁମାର ସ୍ୱାଇଁ, ଦ୍ୱାରିକା ନାଥ ପାଣିଗ୍ରାହୀ, ବୁଚନ ଅଗ୍ରୱାଲ, ସାଇ ପଟନାୟକ ଙ୍କୁ ନେଇ ବୁର୍ଜା ଷ୍ଟୋରେଜ ଗୋଦାମ ଠାରେ ପ୍ରାୟ ଦୁଇ ଘଣ୍ଟା ଗୁପ୍ତ ବୈଠକ କରିଥିଲେ । ପରେ ଉକ୍ତ ଟ୍ରକରେ ଥିବା ଚାଉଳ କୁ ଯାଞ୍ଚ କରାଯାଇଥିଲା ଓ ଏହାର ମାନ ଖରାପ ଦର୍ଶାଇ ଚାଉଳ ଫେରାଇ ନେବା ସହ ଖରାପ ଚାଉଳ ବାହାର କରି, ପାଲିସ କରି ଭଲ ଚାଉଳ ଷ୍ଟୋରେଜ ଗୋଦାମ କୁ ଯୋଗାଇବାକୁ କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକ।
133