ଭୁବନେଶ୍ୱର: ଭାରତର ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ବଜାୟ ରଖିବା ସହ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ଏକ ଆବଶ୍ୟକ ଓ ଗଠନମୂଳକ ପ୍ରକ୍ରିୟା ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ସେ SIR ପ୍ରକ୍ରିୟାକୁ ସମର୍ଥନ କରିବା ସହ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁକ୍ତ ଓ ଅବାଧ ନିର୍ବାଚନ ହେଉଛି ଗଣତନ୍ତ୍ରର ମୂଳଦୁଆ। ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଏବଂ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
ଭୋଟର ତାଲିକାରେ ଏକାଧିକ ଥର ନାମ ରହିବା, ପୁରୁଣା ତଥ୍ୟ ଅପଡେଟ୍ ନହେବା ଏବଂ ମୃତ ବ୍ୟକ୍ତିଙ୍କ ନାମ ତାଲିକାରେ ରହିବା ଦ୍ୱାରା ତାଲିକାର ସଠିକତା ପ୍ରଭାବିତ ହୋଇପାରେ। ତେଣୁ ଭୋଟର ତାଲିକାକୁ ନିର୍ଭୁଲ ଓ ବିଶ୍ୱସନୀୟ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ, ବରଂ ନିର୍ବାଚନୀ ସ୍ୱଚ୍ଛତା ଏବଂ ଗଣତନ୍ତ୍ର ପ୍ରତି ଜନଆସ୍ଥା ସୁଦୃଢ଼ କରିବାର ଏକ ମୁଖ୍ୟ ଆଧାର ବୋଲି ସେ ଉଲ୍ଲେଖ କରିଛନ୍ତି।
SIR ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକାରେ ଥିବା ତ୍ରୁଟି ଚିହ୍ନଟ କରିବା, ଏକାଧିକ ନାମକୁ ଯାଞ୍ଚ କରିବା, ମୃତ୍ୟୁ କିମ୍ବା ବାସସ୍ଥାନ ପରିବର୍ତ୍ତନ ପରେ ତଥ୍ୟ ଅପଡେଟ୍ କରିବା ସହ ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ରହିବା ସୁନିଶ୍ଚିତ କରାଯାଇପାରିବ। ତେବେ ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ଭୋଟର ଯେପରି ଭୁଲବଶତଃ ତାଲିକାରୁ ବାଦ୍ ପଡ଼ିବେ ନାହିଁ, ସେଥିପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ବୋଲି ମାଝୀ କହିଛନ୍ତି।
ଏହା କେବଳ ପ୍ରଶାସନିକ ପ୍ରକ୍ରିୟା ନୁହେଁ, ବରଂ ନିର୍ବାଚନରେ ନ୍ୟାୟ, ସମାନ ପ୍ରତିନିଧିତ୍ୱ ଏବଂ ପ୍ରତ୍ୟେକ ଭୋଟର ମର୍ଯ୍ୟାଦା ସହ ଜଡ଼ିତ ବିଷୟ ବୋଲି ସେ ମତ ଦେଇଛନ୍ତି। ଉପଯୁକ୍ତ ଯାଞ୍ଚ, ନିରପେକ୍ଷତା ଓ ଦାୟିତ୍ୱବୋଧ ସହ SIR କାର୍ଯ୍ୟକାରୀ ହେଲେ ନିର୍ବାଚନୀ ତାଲିକା ଅଧିକ ବିଶ୍ୱସନୀୟ ହେବା ସହ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା SIR ପ୍ରକ୍ରିୟାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ଜାରି ରହିଛି। ଓଡ଼ିଶାରେ SIR ପ୍ରକ୍ରିୟା ପରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରାୟ ୩.୧୬ କୋଟି ଭୋଟରଙ୍କ ନାମ ରହିଥିବା ଉଲ୍ଲେଖ କରାଯାଇଛି।