48

ବିରୋଧୀଙ୍କ ବନ୍ଦ ପାଳନ ସମ୍ପୂର୍ଣ୍ଣ ବିଫଳ, ହିଂସାତ୍ମକ ଆଚରଣ ନିନ୍ଦନୀୟ: ଅନୀଲ ବିଶ୍ୱାଳ

ଭୁବନେଶ୍ୱର: କଂଗ୍ରେସ ଓ ବାମ ଦଳଗୁଡ଼ିକ ପକ୍ଷରୁ ଆଜି ଦିଆଯାଇଥିବା ଓଡ଼ିଶା ବନ୍ଦ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ରାଜ୍ୟବାସୀ ଏହି ବନ୍ଦକୁ ପ୍ରତ୍ୟାଖ୍ୟାନ କରିଥିବାରୁ ସାରା ଓଡ଼ିଶାରେ ଜନଜୀବନ ପ୍ରାୟ ସ୍ୱାଭାବିକ ରହିଥିଲା। ଯେଉଁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ରାସ୍ତାକୁ ଓହ୍ଲାଇଥିଲେ, ତାହାକୁ ରାଜ୍ୟବାସୀ ସମର୍ଥନ କରିନଥିବା ଏହି ବନ୍ଦର ବିଫଳତାରୁ ସ୍ପଷ୍ଟ ହୋଇଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି।

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବନ୍ଦ ପାଳନ ସମୟରେ କେତେକ ସ୍ଥାନରେ କଂଗ୍ରେସ ଓ ବାମ ଦଳର କର୍ମୀମାନେ ହିଂସାତ୍ମକ ଓ ଅରାଜକତାପୂର୍ଣ୍ଣ ଆଚରଣ କରି ସାଧାରଣ ଲୋକଙ୍କୁ ଭୟଭୀତ କରିଛନ୍ତି। ଡାକ୍ତରଖାନା ଯାଉଥିବା ଲୋକ, ପିଲାମାନଙ୍କୁ ସ୍କୁଲକୁ ନେଇ ଯାଉଥିବା ଅଭିଭାବକ ଏବଂ ଅନ୍ୟ ସାଧାରଣ ଲୋକଙ୍କୁ ଅଟକାଇ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ବିଭିନ୍ନ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି। ଏପରିକି ଗର୍ଭବତୀ ମହିଳାମାନେ ମଧ୍ୟ ଏଭଳି ଆଚରଣରୁ ବାଦ ପଡ଼ିନଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ସମ୍ବିଧାନ ବଞ୍ଚାଇବାର ନାରା ଦେଇ ଆନ୍ଦୋଳନ କରୁଥିବା କଂଗ୍ରେସ ଦଳ ଏଭଳି ହିଂସାତ୍ମକ ଆଚରଣ ସମ୍ବିଧାନର କେଉଁ ଧାରାରେ ରହିଛି ତାହା ସ୍ପଷ୍ଟ କରିବା ଆବଶ୍ୟକ। ‘କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ବନାମ ଭାରତ କୁମାର’ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ କୌଣସି ରାଜନୈତିକ ଦଳ ଜୋରଜବରଦସ୍ତି କରି ବନ୍ଦ ପାଳନ କରାଇପାରିବ ନାହିଁ ବୋଲି କୁହାଯାଇଥିବା ସେ ଦାବି କରିଛନ୍ତି।

ବିରୋଧୀ ଦଳଗୁଡ଼ିକର ସମ୍ବିଧାନ ପ୍ରତି ପ୍ରକୃତ ସମ୍ମାନ ଥାଇଥିଲେ, ସେମାନେ ସୁପ୍ରିମକୋର୍ଟଙ୍କ ଏହି ରାୟର ବିରୋଧାଚରଣ କରିନଥାନ୍ତେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ବନ୍ଦ ସମୟରେ ଘଟିଥିବା ଘଟଣାଗୁଡ଼ିକର ଭିଡିଓ ଆଗାମୀ ଦିନରେ ବିରୋଧୀଙ୍କ ହିଂସାତ୍ମକ ଆଚରଣର ପ୍ରମାଣ ହୋଇ ରହିବ ବୋଲି ସେ କହିଛନ୍ତି।

ଏହାସହ ଭୋଟ ଚୋରି ପ୍ରସଙ୍ଗକୁ ନେଇ ମଧ୍ୟ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡ଼ିଶାରେ ମାତ୍ର ୦.୧୪ ପ୍ରତିଶତ ଭୋଟ ପାଉଥିବା ବାମ ଦଳଗୁଡ଼ିକ ନିଜର ଭୋଟ ଚୋରି ହୋଇଥିବା କହୁଛନ୍ତି। ସେହିପରି ୧୯୯୫ ମସିହାରୁ ଓଡ଼ିଶାରେ କ୍ରମାଗତ ଭାବେ ନିର୍ବାଚନୀ ଭୋଟ ପ୍ରତିଶତ ହରାଇଆସୁଥିବା କଂଗ୍ରେସ ଏସ୍‌ଆଇଆର୍‌ କାରଣରୁ ନିର୍ବାଚନ ହାରୁଥିବା ଅଭିଯୋଗ କରୁଛି।

ଯେଉଁମାନେ ଭୋଟ ଚୋରିର ନାରା ଦେଉଛନ୍ତି, ସେମାନେ ବୁଝିବା ଆବଶ୍ୟକ ଯେ ଓଡ଼ିଶାର ଲୋକମାନେ ଆଉ ଚୋରଙ୍କୁ ଭୋଟ ଦେଉନାହାନ୍ତି। ବିରୋଧୀଙ୍କ ଏଭଳି ଆଚରଣକୁ ଓଡ଼ିଶାବାସୀ କେବେବି କ୍ଷମା କରିବେ ନାହିଁ ବୋଲି ଅନୀଲ ବିଶ୍ୱାଳ କହିଛନ୍ତି।

 

Spread the love