ଭୁବନେଶ୍ୱର: ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସଆଇଆର୍)-୨୦୨୬ ସମୟରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ପୁନଃ ସାମିଲ କରିବା ସହ ନୂଆ ଯୋଗ୍ୟ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏସଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ହୋଇଥିଲେ ମଧ୍ୟ ଯେଉଁ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି, ସେମାନେ ନିଜ ଅଞ୍ଚଳର ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପ୍ରକ୍ରିୟା, ଫର୍ମ ଓ ଦସ୍ତାବିଜ ସମ୍ପର୍କରେ ଜାଣିପାରିବେ। ନିୟମ ଅନୁଯାୟୀ ଆବେଦନର ଯାଞ୍ଚ ଓ ଭେରିଫିକେସନ୍ ପରେ ଭୋଟର ତାଲିକାରେ ନାମ ସାମିଲ କରାଯିବ।
ଏହି ଅଭିଯାନରେ ଅକ୍ଟୋବର ୧, ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ଯୁବକ-ଯୁବତୀଙ୍କୁ ମଧ୍ୟ ଭୋଟର ଭାବେ ପଞ୍ଜୀକରଣ କରାଯିବ। ଏଥିପାଇଁ ସେମାନେ ନିଜ ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ।
ଅଭିଯାନ ଅବସରରେ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି। ଏହାସହ ନାମ ପଞ୍ଜୀକରଣ ପ୍ରକ୍ରିୟାରେ ଆବଶ୍ୟକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ସଂଗୃହୀତ ତଥ୍ୟକୁ ଜିଲ୍ଲାସ୍ତରରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏଇଆର୍ଓ) ଓ ବିଏଲ୍ଓମାନେ ଯାଞ୍ଚ କରୁଛନ୍ତି।
ଏହି ପ୍ରକ୍ରିୟାରେ ବିଭିନ୍ନ ରାଜନୈତିକ ଦଳର ବୁଥ୍ସ୍ତରୀୟ ଏଜେଣ୍ଟମାନେ ମଧ୍ୟ ଭାଗ ନେଇ ଭୋଟର ତାଲିକା ସମ୍ପର୍କିତ ପ୍ରକ୍ରିୟାରେ ସହଯୋଗ କରିବା ସହ ନାମ ପଞ୍ଜୀକରଣ ନେଇ ସଚେତନତା ସୃଷ୍ଟି କରୁଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବାକୁ କୁହାଯାଇଛି। ନାମ ନଥିଲେ କିମ୍ବା ନୂଆ କରି ପଞ୍ଜୀକରଣ ପାଇଁ ଯୋଗ୍ୟ ହୋଇଥିଲେ ସମ୍ପୃକ୍ତ ବିଏଲ୍ଓଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ଯୋଗ୍ୟ କୌଣସି ଭୋଟର ଯେପରି ଭୋଟର ତାଲିକାରୁ ବାଦ ନପଡ଼ନ୍ତି ଏବଂ ତାଲିକା ସଠିକ୍, ଅଦ୍ୟତନ ଓ ସମାବେଶୀ ରହେ, ତାହା ନିଶ୍ଚିତ କରିବା ଏହି ସ୍ୱତନ୍ତ୍ର ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।