315

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ; ପ୍ରାୟ ୧୧ ଘଣ୍ଟା ପରେ ଉଠିଲା ଶବ!

ଖୋର୍ଦ୍ଧା: ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ବାଣପୁର ଥାନା ଅନ୍ତର୍ଗତ ସାନହନ୍ତୁଆଡ ଗ୍ରାମର ରାଜନ ପତିଙ୍କ ପୁଅ ବାସୁଦେବ ପତି (୩୫) ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ବାସୁଦେବ କୌଣସି କାମ ନେଇ ଏକ ସ୍କୁଟି ଯୋଗେ ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୋପୀନାଥ ପୁର ଛକ ନିକଟରେ ଏକ ମାଛ ବୋଝଇ ଟ୍ରକ ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଫଳରେ ବାସୁଦେବ ଟ୍ରକ ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବାସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଦୁର୍ଘଟଣା ଖବର ପାଇ ପରିବାର ବର୍ଗଙ୍କ ସମେତ ଗାଁ ଲୋକେ ଦୁର୍ଘଟଣା ସ୍ଥଳ ବାଲୁଗାଁ -ବାଣପୁର ମୁଖ୍ୟ ରାସ୍ତାରେ ଶବ ରଖି କ୍ଷତି ପୂରଣ ଦାବିରେ ଉଭୟ ପାର୍ଶ୍ୱ ଅବରୋଧ କରିଛନ୍ତି। ଖବର ଲେଖା ହେବା ବେଳକୁ ଦିବା ୧୦ ଘଟିକାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ନ ବହାରିବାରୁ ଅଦ୍ୟାବଧି ଶବ ପଡିରହିଥିବା ଜଣାପଡିଛି।

ସ୍ବର୍ଗତ ବାସୁଦେବଙ୍କ ପତ୍ନୀ, ଛୋଟ ଛୋଟ ଦୁଇଟି ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ ତାଙ୍କର ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଘଟଣା ସ୍ଥଳରେ ବାଲୁଗାଁ ଆଇଆଇସି, ବାଣପୁର ଆଇଆଇସି, ନାଚୁଣୀ ଆଇଆଇସି ଏବଂ ବାଲୁଗାଁ ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝସୁଝା କରିବା ସହ ତଦନ୍ତ ଜାରି ରଖିଛନ୍ତି |ଘଟଣା ସ୍ଥଳରେ ମଧ୍ୟ ଫୋର୍ସ ମୃତୟନ କରାଯାଇଛି |

Spread the love