6

ନିଳାଦ୍ରୀ ବିଜେ ଅବ୍ୟବସ୍ଥା ପ୍ରସଙ୍ଗ; ସମର୍ପଣ ଭାବ ବଦଳରେ ଅହଂକାର ପ୍ରଦର୍ଶନ କରୁଛନ୍ତି ସରକାର: ବିଜେଡି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଧାୟକ ଆଶ୍ରିତ ପଟ୍ଟନାୟକ, ମହାଲକ୍ଷ୍ମୀଙ୍କ ଚାହାଁଣି ମଣ୍ଡପରେ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ମହାଲକ୍ଷ୍ମୀଙ୍କ ଚାହାଁଣି ମଣ୍ଡପକୁୁ ସେବାୟତ ଛଡା ଅନ୍ୟ କେହି ଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ବାରଣ ସତ୍ତ୍ୱେ ସରକାର ଓ ସରକାରୀ ଦଳର ନେତାମାନଙ୍କୁ ସେଠାରେ ରହିବା ପାଇଁ ବିଶେଷ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ, ଗତ ୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ଲଗାତାର ଭାବେ ବିଭ୍ରାଟ ଦେଖାଯାଉଛି । ଚଳିତ ବର୍ଷ ରଥଯାତ୍ରା ମଧ୍ୟ ଶୃଙ୍ଖଳିତ ହେବା ପରିବର୍ତ୍ତେ ଦଳାଚକଟାରେ ୩ ଜଣ ଭକ୍ତ ମୃତୁ୍ୟବରଣ କରିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ଗମ୍ଭୀର ଥିବା ପରି ମନେ ହେଉନାହିଁ । କିନ୍ତୁ ଉପମୁଖ୍ୟମନ୍ତ୍ରୀ ଯଦି ଶୃଙ୍ଖଳା ଭଙ୍ଗ କରି ଚାହାଁଣି ମଣ୍ଡପରେ ମହାଲକ୍ଷ୍ମୀଙ୍କ ସାମ୍ନାରେ ରହିବେ ଏବଂ ପ୍ରଶାସନ ନିରବ ରହିବ, ତେବେ ସରକାର ହିଁ ପ୍ରଥମ ଶୃଙ୍ଖଳା ଭଙ୍ଗକାରୀ । ରଥ ଉପରୁ ଭକ୍ତଙ୍କ ହାତଧରି ଟାଣି ଟାଣି ତଳକୁ ନେଇ ଆସୁଥିବା ମୁଖ୍ୟ ପ୍ରଶାସକ, ଶାସକ ଦଳର ନେତା, ମନ୍ତ୍ରୀଙ୍କ ଆଗରେ ଏତେ ଅସହାୟ କାହିଁକି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ କ୍ଷମତା, ଅହଂକାରରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ । ସମର୍ପିତ ଭାବେ ମହାପ୍ରଭୁଙ୍କ ସେବା କରିବା ପରିବର୍ତ୍ତେ ବିଜେପି ସରକାରଙ୍କ ଅହଂକାର ପ୍ରଦର୍ଶନ ଯୋଗୁଁ ଗତ ୩ ବର୍ଷ ଧରି ରଥ ପରିଚାଳନାରେ ବିଭ୍ରାଟ ହେଉଛି ଏବଂ ଭକ୍ତ ମୃତୁ୍ୟବରଣ କରୁଛନ୍ତି । ସରକାରଙ୍କ ଅପାରଗତା ଲାଗି ଲକ୍ଷ ଲକ୍ଷ ଭକ୍ତ ରଥ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ଲାଗି ସେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି ।

Spread the love