47

ଭତ୍ତା କାର୍ଡ଼ ଓ ଆବାସ ଘରରୁ ବଞ୍ଚିତ ଅସହାୟ ବୃଦ୍ଧ ଦମ୍ପତି; କେବେ ପହଞ୍ଚିବ ସରକାରୀ ସହାୟତା?

କଳାହାଣ୍ଡି:(ରିପୋର୍ଟର – ରମାକାନ୍ତ ନାଏକ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡ଼େପଦର ପଞ୍ଚାୟତର ମୁଣ୍ଡିଘାଟି ଗ୍ରାମର ଦୂରେଶପଦର ପଡ଼ାରେ ବସବାସ କରୁଥିବା ଅସହାୟ ବୃଦ୍ଧ ଦମ୍ପତି ଡମୁ ଗଉଡ଼ (୬୯) ଓ ରେବତୀ ଗଉଡ଼ (୭୪) ଆଜି ପର୍ଯ୍ୟନ୍ତ ସରକାରୀ ଭତ୍ତା କାର୍ଡ଼ ଏବଂ ଆବାସ ଯୋଜନାର ଘର ପାଇନଥିବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବୃଦ୍ଧ ଦମ୍ପତି ଦୀର୍ଘଦିନ ଧରି ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଛନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ମୌଳିକ ସୁବିଧାରୁ ବଞ୍ଚିତ ରହିବା ଅତ୍ୟନ୍ତ ଦୁଃଖଦ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଉଭୟ ବୃଦ୍ଧ ଦମ୍ପତି ପ୍ରକୃତ ହିତାଧିକାରୀ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା କାର୍ଡ଼ ଓ ଆବାସ ଯୋଜନାର ଲାଭ ପାଇନାହାନ୍ତି। ଫଳରେ ସେମାନଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ବୃଦ୍ଧାବସ୍ଥାରେ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର ଓ ସରକାରୀ ସହାୟତା ସେମାନଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ସ୍ଥାନୀୟମାନେ କହିଛନ୍ତି।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପାଡ଼େପଦର ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଏବଂ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଶୀଘ୍ର ସ୍ଥଳ ପରିଦର୍ଶନ କରି ବୃଦ୍ଧ ଦମ୍ପତିଙ୍କ ସ୍ଥିତିର ଯାଞ୍ଚ କରିବା ସହ ସେମାନେ ଯଦି ଯୋଗ୍ୟ ହୁଅନ୍ତି, ତେବେ ବିଳମ୍ବ ନକରି ଭତ୍ତା କାର୍ଡ଼ ଓ ଆବାସ ଯୋଜନାର ଘର ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସରକାରଙ୍କ କଲ୍ୟାଣମୂଳକ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରକୃତ ଗରିବ ଓ ଅସହାୟ ପରିବାରଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା। ତେଣୁ ଡମୁ ଗଉଡ଼ ଓ ରେବତୀ ଗଉଡ଼ଙ୍କ ଘଟଣାକୁ ମାନବିକ ଦୃଷ୍ଟିକୋଣରୁ ବିଚାର କରି ସମ୍ପୃକ୍ତ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବେ ବୋଲି ଅଞ୍ଚଳବାସୀ ଆସ୍ଥା ପ୍ରକାଶ କରିଛନ୍ତି।

Spread the love