48

ଡକାୟତି ଉଦ୍ୟମ ବିଫଳ ହେବାରୁ ସ୍ୱାମୀ ସ୍ତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ରାୟଗଡ଼ା ସ୍ଥାନାନ୍ତର!

ରାୟଗଡା:(ରିପୋର୍ଟର – ମାଲେଶ କୌଶଲ୍ୟା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ଗ୍ରାମରେ ବିଳମ୍ବିତ ରାତିରେ ଏକ ଚୋରି ଉଦ୍ୟମ ବିଫଳ ହେବା ପରେ ଦୁର୍ବୃତ୍ତମାନେ ଘର ମାଲିକ ଦମ୍ପତିଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ ସେରିଗୁମା ଗ୍ରାମର ଭୁଦେବ ନେମାଲପୁରୀ ଙ୍କ ଘରେ ରାତି ପ୍ରାୟ ସାଢ଼େ ୧ଟା ସମୟରେ ତିନି ଜଣ ଦୁର୍ବୃତ୍ତ ଦାଣ୍ଡପଟ ଦେଇ ଘର ଭିତରକୁ ପଶିଥିଲେ। ଘରେ ମୂଲ୍ୟବାନ ସାମଗ୍ରୀ ନ ପାଇବାରୁ ସେମାନେ ଘରେ ଥିବା ଭୁଦେବ ନେମାଲପୁରୀ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ନେମାଲପୁରୀଙ୍କୁ ଆକ୍ରମଣ କରିଥିଲେ। ସେହି ସମୟରେ ଭୁଦେବ ପରିସ୍ରା କରିବା ପାଇଁ ବାହାରକୁ ଆସି ସନ୍ଦେହ ଜନକ ଚଳପ୍ରଚଳ ଦେଖି ଚୋର ଚୋର ବୋଲି ପାଟି କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଦମ୍ପତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାମୀ ସ୍ତ୍ରୀ ଙ୍କ ମୁଣ୍ଡରେ ଗଭୀର ଆଘାତ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସେରିଗୁମା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

Spread the love