24

ସାଲେପୁରରେ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ରାସ୍ତାରୋକ, ବିଭିନ୍ନ ଦଳର ତୁଙ୍ଗ ନେତାଙ୍କୁ ଉଠାଇ ନେଲା ପୋଲିସ!

କଟକ (ରିପୋର୍ଟର – ରଞ୍ଜନ କୁମାର ନାୟକ): ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଏହା ଅଧୀନରେ ଥିବା ବିଭିନ୍ନ ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗରେ ଶୁକ୍ରବାର ସାଲେପୁର ସହରରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ସ୍ଥାୟୀ ଡାକ୍ତର ନିଯୁକ୍ତି, ଆବଶ୍ୟକ କର୍ମଚାରୀ ନିଯୁକ୍ତି ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଆଧୁନିକ ଉପକରଣ ବ୍ୟବସ୍ଥା କରିବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ଏହି ରାସ୍ତାରୋକରେ ସହରାଞ୍ଚଳ ବିକାଶ ପରିଷଦର ସମସ୍ତ ସଦସ୍ୟ , କଂଗ୍ରେସ ନେତା ହରିବନ୍ଧୁ ଶତପଥୀଙ୍କ ସମେତ ବିଭିନ୍ନ ଦଳୀୟ ନେତା, ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ସାମିଲ ହୋଇଥିଲେ।

ଆନ୍ଦୋଳନକୁ ସାଲେପୁର ବିଧାୟକ ମଧ୍ୟ ସମର୍ଥନ ଜଣାଇଥିଲେ। ଏହି ଅବସରରେ ବିଧାୟକ ଅଭିଯୋଗ କରି କହିଥିଲେ ଯେ, ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସାଲେପୁର ଅଞ୍ଚଳକୁ ଅଣଦେଖା କରୁଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ସେ ବାରମ୍ବାର ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ବିରୋଧୀ ଦଳର ବିଧାୟକ ହୋଇଥିବାରୁ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉନଥିବା ସେ ଅଭିଯୋଗ କରିଥିଲେ।

କିଛି ସମୟ ଧରି ରାସ୍ତାରୋକ ଚାଲିବା ପରେ ଆନ୍ଦୋଳନକାରୀମାନଙ୍କୁ ପୋଲିସ୍ ଗିରଫ କରି ଅବରୋଧ ପ୍ରତ୍ୟାହାର କରିଥିଲେ। ତେବେ ଆସନ୍ତା ରଜ ପର୍ବ ପରେ ମଧ୍ୟ ଯଦି ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ନ ହୁଏ, ତେବେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

Spread the love