110

ଏବେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବେ ଆଇଆଇସି!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପୋଲିସ ଓ ଜନତାଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ବାଲୁଗାଁ ଥାନା ଆଇଆଇସି ଶ୍ରଦ୍ଧା ନାୟକ ବିଭିନ୍ନ ଗାଁ ବୁଲି ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିଛନ୍ତି |ଗୁରୁବାର ସକାଳୁ ବାଲୁଗାଁ ଥାନା ଅଞ୍ଚଳର କିଛି ଗାଁରେ ପହଞ୍ଚି ସେ ମହିଳା, ବୟସ୍କ ଓ ଯୁବକମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ | ନିଶା କାରବାର, ଚୋରି ଉପରେ ଲୋକେ ମୁଖ୍ୟତଃ ଅଭିଯୋଗ କରିଥିଲେ |

ଆଇଆଇସି ନାୟକ କହିଛନ୍ତି, “ଥାନାକୁ ଆସିବାକୁ ଅନେକ ଲୋକ ଡରନ୍ତି କିମ୍ବା ସମୟ ପାଆନ୍ତି ନାହିଁ। ସେଥିପାଇଁ ଆମେ ନିଜେ ଗାଁକୁ ଯାଇ ସେମାନଙ୍କ କଥା ଶୁଣିବାକୁ ସ୍ଥିର କରିଛୁ। ସବୁ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରାଯିବ।”

ସେ ମହିଳା ସୁରକ୍ଷା, ସାଇବର ଠକେଇ ଓ ହେଲପଲାଇନ ନମ୍ବର ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ |ସ୍ଥାନୀୟ ଯୁବକମାନଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ଓ ପୋଲିସକୁ ସହଯୋଗ କରିବାକୁ ଅପିଲ କରିଥିଲେ |

ଗାଁ ଲୋକେ ଆଇଆଇସିଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି. ଗାଁ ଲୋକ କହିଥିଲେ “ମ୍ୟାଡାମ ନିଜେ ଆସି ଆମ କଥା ଶୁଣିଲେ। ଏବେ ଲାଗୁଛି ପୋଲିସ ଆମ ସାଥୀରେ ଅଛି। “ବାଲୁଗାଁ ଥାନା ପକ୍ଷରୁ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ନିୟମିତ କରାଯିବ ବୋଲି ଆଇଆଇସି ସୂଚନା ଦେଇଛନ୍ତି|

Spread the love