11

ଆନ୍ଧ୍ର ଉପକୂଳ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାର ୬ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଡ଼ପବନ ହେବାର ଆଶଙ୍କା ରହିଛି। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟର ୬ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ଥିଲା। ଏହା ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲା। ସେତେବେଳେ ଏହା ବିଶାଖାପାଟଣାଠାରୁ ପ୍ରାୟ ୧୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୩୭୦ କିଲୋମିଟର ଦୂରରେ ରହିଥିଲା।

ପୂର୍ବାନୁମାନ ଅନୁଯାୟୀ, ବାତ୍ୟାଟି ଅକ୍ଟୋବର ୨୭ ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୮ ପୂର୍ବାହ୍ନ ସୁଦ୍ଧା ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ, ୟାନାମ ନିକଟରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମୟରେ ବାତ୍ୟାର ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବିଶାଖାପାଟଣାସ୍ଥିତ ଡପ୍‌ଲର୍ ପାଣିପାଗ ରାଡାର ମାଧ୍ୟମରେ ବାତ୍ୟା ଉପରେ ନିରନ୍ତର ନଜର ରଖାଯାଇଛି |

ଅକ୍ଟୋବର ୨୭ ତାରିଖରେ ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଦୁଇ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ।

ଅକ୍ଟୋବର ୨୮ ତାରିଖ ପାଇଁ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ଏଥିସହ ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।

ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ତୀବ୍ରତା ବଢ଼ିବା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶ ଉପରେ ନଜର ରଖିବା ଜରୁରୀ।

 

Spread the love