ଖୋର୍ଦ୍ଧା: ମନ୍ଦିରର ପ୍ରାଚୀନ ଇତିହାସ, ଅନନ୍ୟ ବିଗ୍ରହ, ରଥଯାତ୍ରାର ପରମ୍ପରା ଓ ମହନ୍ତମାନଙ୍କ ସ୍ମୃତିକୁ ନିଜ ଭିତରେ ସାଇତି ରଖିଛି ଖୋର୍ଦ୍ଧା ଜିଲ୍ଲାର ଜାଗୁଳିପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ମନ୍ଦିର। ହେଲେ ଏହି ଐତିହ୍ୟର ଅନେକ ଦିଗ ଏବେ ବି ଲୋକଲୋଚନକୁ ଆସିପାରିନାହିଁ। କେଉଁଠି ଲୋକକଥାରେ ବଞ୍ଚିଛି ଇତିହାସ, ତ ଆଉ କେଉଁଠି ଅବହେଳିତ ଅବସ୍ଥାରେ ପଡ଼ିରହିଛି ପୂର୍ବତନ ମହନ୍ତମାନଙ୍କ ସମାଧିସ୍ଥଳୀ। ଏଭଳି ଅନାଲୋଚିତ ଐତିହ୍ୟକୁ ଲୋକଙ୍କ ସାମ୍ନାକୁ ଆଣିବାର ପ୍ରୟାସ କରିଛି ତୃତୀୟ ଖୋର୍ଦ୍ଧା ହେରିଟେଜ୍ ୱାକ୍।
ରବିବାର ସକାଳ ୯ଟାରେ ଚଣ୍ଡୀଚୁଆ ଛକରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ ପଦଯାତ୍ରାରେ ଅଂଶଗ୍ରହଣକାରୀମାନେ ମା’ ଚଣ୍ଡୀଙ୍କ ଦର୍ଶନ ପରେ ଖୋର୍ଦ୍ଧା-ନୟାଗଡ଼ ରାସ୍ତା ଦେଇ ଜାଗୁଳିପାଟଣା ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମନ୍ଦିରର ଇତିହାସ, ପୂଜାପଦ୍ଧତି, ଧାର୍ମିକ ପରମ୍ପରା ଓ ପ୍ରଚଳିତ କିମ୍ବଦନ୍ତୀ ସମ୍ପର୍କରେ ଆଲୋଚନା ହୋଇଥିଲା।
ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ ମନ୍ଦିରର ଐତିହାସିକ ପୃଷ୍ଠଭୂମି ଓ ଧାର୍ମିକ ମହତ୍ତ୍ୱ ବିଷୟରେ ତଥ୍ୟ ରଖିଥିଲେ। ସେବାୟତ କମଳଲୋଚନ ଦାସ ମହାରାଜ ମନ୍ଦିରର ନୀତିକାନ୍ତି ଓ ପର୍ବପର୍ବାଣି ସମ୍ପର୍କରେ ଅବଗତ କରାଇଥିବା ବେଳେ ବୈକୁଣ୍ଠନାଥ ମହାପାତ୍ର ଓ ମୀନକେତନ ମହାନ୍ତି ମନ୍ଦିର ସହ ଜଡ଼ିତ ବିଭିନ୍ନ ସାଂସ୍କୃତିକ ତଥ୍ୟ ଉପସ୍ଥାପନ କରିଥିଲେ।
ମନ୍ଦିରର ଇତିହାସ ସହ ଗଜପତି ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ଜୀବନର ଘଟଣାବଳୀ ଜଡ଼ିତ ଥିବା ନେଇ ଜନଶ୍ରୁତି ରହିଛି। ବ୍ରିଟିଶ ଶାସନ ସମୟରେ କଳାପାଣି ଦଣ୍ଡ ଭୋଗୁଥିବା ଗଜପତିଙ୍କ ପଳାୟନ, ପରବର୍ତ୍ତୀ ସମୟରେ କଟକ ଜେଲ୍ରେ ରହିବା ଏବଂ ମୁକ୍ତି ପରେ ବାବା ରଘୁବୀର ଦାସଙ୍କ ଆଶ୍ରୟ ନେବା ଭଳି ଘଟଣା ଏହି ମନ୍ଦିରର ଐତିହାସିକ ପରିଚୟକୁ ଆହୁରି ରୋଚକ କରିଛି। ସେ ଦୟାନିଧି ଦାସ ନାମରେ ପରିଚିତ ହୋଇଥିବା ନେଇ ମଧ୍ୟ କିମ୍ବଦନ୍ତୀ ପ୍ରଚଳିତ ଅଛି।
ଲୋକବିଶ୍ୱାସ ଅନୁଯାୟୀ, ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ବେରୁହାଁ ଗ୍ରାମରୁ ଦାରୁ ଅଣାଯାଇ ପୁରୀର କାରିଗରଙ୍କ ଦ୍ୱାରା ବିଗ୍ରହ ନିର୍ମାଣ କରାଯାଇଥିଲା। କେରଳରୁ ଆସିଥିବା ଶୌତ୍ରୀୟ ବ୍ରାହ୍ମଣମାନେ ବିଗ୍ରହଙ୍କ ପ୍ରତିଷ୍ଠା କରିଥିବା ନେଇ ମଧ୍ୟ ଜନଶ୍ରୁତି ରହିଛି। ପ୍ରଥମେ ଏକ କୁଟୀରରେ ପୂଜା ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିବା କୁହାଯାଏ।
ଏହି ମନ୍ଦିରର ସ୍ୱତନ୍ତ୍ରତା ଏହାର ବିଗ୍ରହରେ ମଧ୍ୟ ପ୍ରତିଫଳିତ ହୋଇଛି। ଏଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପୂର୍ଣ୍ଣାଙ୍ଗ ବିଗ୍ରହ ପୂଜା ପାଉଛନ୍ତି। ବଳଭଦ୍ର ହଳ ଓ ମୁଷଳ ଧାରଣ କରିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ ଓ ଚକ୍ର ରହିଛି। ବଡ଼ଭାଇ ଅନନ୍ତ, ଭଉଣୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ ନାମ ସହ ଏହି ମନ୍ଦିରର ନାମକରଣ ଜଡ଼ିତ ବୋଲି ମତ ପ୍ରକାଶ ପାଇଥିଲା।
ମନ୍ଦିର ପରିସରରେ ଥିବା କଳ୍ପବଟ, ଶ୍ରୀଭୈରବେଶ୍ୱରଙ୍କ ପୀଠ, ଶ୍ରୀଚୈତନ୍ୟ, ହନୁମାନ ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର, କାରୁଣ୍ୟ କୁଣ୍ଡ, ଜଗୁଳେଇ ମନ୍ଦିର ଏବଂ ଗୁଣ୍ଡିଚା ମଣ୍ଡପକୁ ମଧ୍ୟ ପରିଦର୍ଶନ କରିଥିଲେ ହେରିଟେଜ୍ ୱାକ୍ରେ ସାମିଲ ହୋଇଥିବା ସଦସ୍ୟମାନେ। ତେବେ ପୂର୍ବତନ ମହନ୍ତମାନଙ୍କ ସମାଧିସ୍ଥଳୀ ଅବହେଳିତ ଅବସ୍ଥାରେ ଥିବା ଦେଖି ଉଦ୍ବେଗ ପ୍ରକାଶ ପାଇଥିଲା। ଏହି ଘଟଣା ଐତିହ୍ୟ ସଂରକ୍ଷଣର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି।
ମନ୍ଦିରରେ ପୂର୍ବେ ତିନି ରଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ମଝିରେ କିଛି ସମୟ ପାଇଁ ଏହି ପରମ୍ପରା ବନ୍ଦ ରହିଥିଲେ ମଧ୍ୟ ୧୯୮୦ ମସିହାରେ ପୁନର୍ବାର ରଥଯାତ୍ରା ଆରମ୍ଭ ହୋଇଥିଲା। ସେବେଠାରୁ ଏହା ନିୟମିତ ଭାବେ ପାଳିତ ହୋଇଆସୁଥିବା ସୂଚନା ଦିଆଯାଇଥିଲା।
ଏହି ପଦଯାତ୍ରାରେ ସେବାୟତ କମଳଲୋଚନ ଦାସ ମହାରାଜ, ଗଣେଶ ଦାସ ମହାରାଜ, ବୈକୁଣ୍ଠନାଥ ମହାପାତ୍ର, ମୀନକେତନ ମହାନ୍ତି, ପ୍ରଦୀପ କୁମାର ବେହେରାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ପ୍ରିତୀପଲ୍ଲଭୀ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ।
ଖୋର୍ଦ୍ଧାର ଐତିହାସିକ ସ୍ଥଳୀଗୁଡ଼ିକର ଅନୁସନ୍ଧାନ, ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ନିଜ ଅଞ୍ଚଳର ଇତିହାସ ସହ ଯୋଡ଼ିବା ହେଉଛି ଏହି ହେରିଟେଜ୍ ୱାକ୍ର ମୁଖ୍ୟ ଉଦ୍ଦେଶ୍ୟ। ଜାଗୁଳିପାଟଣା ମନ୍ଦିରର ଐତିହ୍ୟ ଅନୁସନ୍ଧାନ ସହ ଏହାର ଅବହେଳିତ ସ୍ମୃତିଚିହ୍ନଗୁଡ଼ିକର ସଂରକ୍ଷଣ ଦିଗରେ ଏହି ପଦଯାତ୍ରା ନୂଆ ଆଲୋଚନାର ଅବକାଶ ସୃଷ୍ଟି କରିଛି।