ଭୁବନେଶ୍ୱର: ଦେଶର ବିକାଶ ପ୍ରକ୍ରିୟାରେ କେହି ଯେପରି ପଛରେ ନ ରୁହନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ। ବିକାଶକୁ ପ୍ରାଥମିକତା ଦେବା ସହ ଏହାର ପରିସର ବୃଦ୍ଧି ଏବଂ ସମାଜର ଶେଷ ବ୍ୟକ୍ତିଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ରବିବାର ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୋଦୀ ଏହା କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଭୁବନେଶ୍ୱର ଆଜି ନୂତନ ଭାରତକୁ ଏକ ନୂଆ ପ୍ରତିଷ୍ଠାନ ଭେଟି ଦେଉଛି ବୋଲି ସେ କହିଥିଲେ। ଏହି ଦୁଇଟି ପ୍ରତିଷ୍ଠାନ ଓଡ଼ିଶା ସମେତ ସମଗ୍ର ଦେଶର ଲୋକଙ୍କ ପାଇଁ ଉପଯୋଗୀ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ସ୍ୱାଧୀନତା ପରେ ଦେଶର ବିଭିନ୍ନ ପ୍ରମୁଖ ସହରରେ ଅନେକ ବଡ଼ ବଡ଼ ପ୍ରତିଷ୍ଠାନ, ଡାକ୍ତରଖାନା ଓ ବିମାନବନ୍ଦର ନିର୍ମାଣ ହୋଇଥିଲେ ମଧ୍ୟ ଦେଶର ଏକ ବଡ଼ ଜନସଂଖ୍ୟା ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲେ। ବିକାଶର ସୁଫଳ ପ୍ରତ୍ୟେକ ଅଞ୍ଚଳ ଓ ପ୍ରତ୍ୟେକ ନାଗରିକଙ୍କ ନିକଟରେ ସମାନ ଭାବେ ପହଞ୍ଚାଇବା ଏକ ବଡ଼ ଆହ୍ୱାନ ଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ଲୋକାଭିମୁଖୀ, ସକ୍ରିୟ ଓ ସୁଶାସନ ଆଧାରିତ ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କୁ ବିକାଶର ମୁଖ୍ୟଧାରାରେ ସାମିଲ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।
ବ୍ୟାଙ୍କିଙ୍ଗ୍ ସେବାର ଉଦାହରଣ ଦେଇ ମୋଦୀ କହିଥିଲେ ଯେ ୧୯୬୦ ଓ ୧୯୭୦ ଦଶକରେ ଗରିବଙ୍କ ହିତ ପାଇଁ ବ୍ୟାଙ୍କଗୁଡ଼ିକର ଜାତୀୟକରଣ କରାଯାଇଥିଲା। ତଥାପି ୨୦୧୪ ପର୍ଯ୍ୟନ୍ତ ଦେଶର ଅଧାରୁ ଅଧିକ ଲୋକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ବାହାରେ ରହିଥିଲେ ବୋଲି ସେ ଦାବି କରିଥିଲେ। ମଧ୍ୟବିତ୍ତଙ୍କ ପାଇଁ ବ୍ୟାଙ୍କ ଋଣ ପାଇବା କଷ୍ଟକର ଥିବାବେଳେ ଗରିବ, କ୍ଷୁଦ୍ର ଚାଷୀ, ଭୂମିହୀନ ଓ ମହିଳାମାନେ ମଧ୍ୟ ଏହି ସୁବିଧାରୁ ବଞ୍ଚିତ ରହୁଥିଲେ। କିନ୍ତୁ ଆଜି ଡିଜିଟାଲ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଲୋକମାନେ ୨୪ ଘଣ୍ଟିଆ ବ୍ୟାଙ୍କିଙ୍ଗ୍ ସେବା ପାଇପାରୁଛନ୍ତି ବୋଲି ସେ କହିଥିଲେ।
ଏହି ଅବସରରେ ପୂର୍ବତନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ସମୟରେ ପ୍ରଚଳିତ କଥିତ ‘ଫୋନ୍ ବ୍ୟାଙ୍କିଙ୍ଗ୍’ ବ୍ୟବସ୍ଥାକୁ ମଧ୍ୟ ମୋଦୀ ସମାଲୋଚନା କରିଥିଲେ। ଏହି ବ୍ୟବସ୍ଥାରେ ଧନୀ ଓ କଂଗ୍ରେସ ନେତାଙ୍କ ସହ ସମ୍ପର୍କ ଥିବା ବ୍ୟକ୍ତିମାନେ ଲାଭବାନ ହେଉଥିବାବେଳେ ଗରିବ ଲୋକେ ମୌଳିକ ବ୍ୟାଙ୍କିଙ୍ଗ୍ ସୁବିଧାରୁ ବଞ୍ଚିତ ରହୁଥିଲେ ବୋଲି ସେ ଅଭିଯୋଗ କରିଥିଲେ। ବ୍ୟାଙ୍କ ଖାତା ଖୋଲିବା ପାଇଁ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଜାମିନଦାର ଆବଶ୍ୟକ ହେଉଥିବାବେଳେ ଧନୀ ଲୋକଙ୍କୁ ହଜାର ହଜାର କୋଟି ଟଙ୍କାର ଋଣ ସହଜରେ ମିଳୁଥିଲା। ଏହି ଅବ୍ୟବସ୍ଥା ଯୋଗୁଁ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଅଣ-କାର୍ଯ୍ୟକ୍ଷମ ସମ୍ପତ୍ତି (ଏନ୍ପିଏ) ସମସ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ।
ଗରିବ ଓ ବଞ୍ଚିତ ବର୍ଗଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସେବାକୁ ସହଜ ଓ ସରଳ କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନାର ସଫଳତା ସମ୍ପର୍କରେ ମଧ୍ୟ ମୋଦୀ ଆଲୋକପାତ କରିଥିଲେ।
ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ଦକ୍ଷ ଓ ବିଶ୍ୱସନୀୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ ଦଶନ୍ଧିରେ ବ୍ୟାଙ୍କିଙ୍ଗ୍ ସେବାରୁ ବଞ୍ଚିତ ଲୋକଙ୍କ ପାଖରେ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦଶନ୍ଧିରେ ବ୍ୟାଙ୍କିଙ୍ଗ୍ ସେବାକୁ ଅଧିକ ଦକ୍ଷ ଓ ବିଶ୍ୱସନୀୟ କରିବା ଉପରେ ଧ୍ୟାନ ଦିଆଯିବ। ଓଡ଼ିଶାରେ ପ୍ରତିଷ୍ଠିତ ନୂତନ ଡାଟା ସେଣ୍ଟର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଏହାର ଡିଜିଟାଲ ଭିତ୍ତିଭୂମିର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ଉନ୍ନତ ଡାଟା ସେଣ୍ଟର ଓ ଶକ୍ତିଶାଳୀ କମ୍ପ୍ୟୁଟିଂ ବ୍ୟବସ୍ଥା ଜରୁରୀ ବୋଲି ସେ କହିଥିଲେ।
ବର୍ତ୍ତମାନ ସମୟରେ ସାଇବର ଆକ୍ରମଣ ଓ ଡିଜିଟାଲ ବିପଦର ସ୍ୱରୂପ କ୍ରମାଗତ ଭାବେ ବଦଳୁଛି। ଏହାର ମୁକାବିଲା ପାଇଁ ଆଧୁନିକ ଭିତ୍ତିଭୂମି, ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା, ଉନ୍ନତ ଉପକରଣ ଓ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ଭୁବନେଶ୍ୱରରେ ଉଦ୍ଘାଟିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଗୁରୁତ୍ୱ ଅଧିକ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ।
ଆରବିଆଇର ଏହି ଦୁଇଟି ନୂତନ ପ୍ରତିଷ୍ଠାନ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସେବାର ଗୁଣବତ୍ତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।