ଭୁବନେଶ୍ୱର: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ କପା ବିକ୍ରି କରିବାକୁ ଚାହୁଁଥିବା ଚାଷୀଙ୍କ ପାଇଁ ‘କପାସ କିସାନ’ ମୋବାଇଲ୍ ଆପ୍ରେ ନିଜେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁଯାୟୀ, ୨୦୨୨-୨୩ କପା ଋତୁ ପାଇଁ ଭାରତୀୟ କପା ନିଗମ (ସିସିଆଇ) କେବଳ ଆପ୍ରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କଠାରୁ ହିଁ ସର୍ବନିମ୍ନ ସହାୟକ ମୂଲ୍ୟରେ କପା କିଣିବ। ଏଥିପାଇଁ ପଞ୍ଜୀକରଣର ଶେଷ ତାରିଖ ଅକ୍ଟୋବର ୩୧ ରଖାଯାଇଛି।
ପଞ୍ଜୀକରଣ ସମୟରେ ଚାଷୀଙ୍କୁ ନିଜର କୃଷକ ପଞ୍ଜୀକରଣ ଆଇଡି ଏବଂ ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଡବ୍ଲ୍ୟୁ) କିମ୍ବା କୃଷି ନିରୀକ୍ଷକ (ଏଓ)ଙ୍କଠାରୁ କପା ଚାଷ ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏଥିସହ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଖାତା ଏବଂ ପଞ୍ଜୀକରଣ ସମୟରେ ବ୍ୟବହୃତ ଆଧାର କାର୍ଡର ନକଲ ମଧ୍ୟ ଆବଶ୍ୟକ ହେବ।
ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଚାଷୀମାନେ ନିକଟସ୍ଥ ସିସିଆଇ କପା କ୍ରୟ କେନ୍ଦ୍ରର ଅଧିକାରୀ କିମ୍ବା ସ୍ଥାନୀୟ ଗ୍ରାମ୍ୟ କୃଷି କର୍ମଚାରୀ ଓ କୃଷକ ସାଥୀଙ୍କ ସହ ଯୋଗାଯୋଗ କରିପାରିବେ। ଏହାବ୍ୟତୀତ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୬୩୭୦୦୧୧୯୨୦ ଏବଂ ୧୫୫୩୩୩ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।