41

ଇଣ୍ଡିଆ ବ୍ଲକ୍‌ର ଓଡ଼ିଶା ବନ୍ଦ ସଫଳ ଦାବି!

ଭୁବନେଶ୍ୱର: ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିବାରୁ ରାଜ୍ୟବାସୀଙ୍କୁ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଯାଇଛି। ଏଥିସହ ବନ୍ଦର ପ୍ରଚାର ଓ ପ୍ରସ୍ତୁତି ପ୍ରକ୍ରିୟାରେ ସହଯୋଗ କରିଥିବା ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।

ଭୁବନେଶ୍ୱରରେ ବନ୍ଦ ଅବସରରେ ଇଣ୍ଡିଆ ବ୍ଲକ୍‌ର ନେତା ଓ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଏକତ୍ରିତ ହୋଇଥିଲେ। ସେଠାରୁ ଲୋକସଭା ଭବନ ଅଭିମୁଖେ ମିଳିତ ପଦଯାତ୍ରା କରି ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ।

ନିର୍ବାଚନ ବ୍ୟବସ୍ଥାର ସୁରକ୍ଷା, ଏସ୍‌ଆଇଆର୍‌ ପ୍ରତ୍ୟାହାର, ନିର୍ବାଚନ ଆୟୋଗରେ ସଂସ୍କାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ରଦ୍ଦ, ଓଡ଼ିଶାର ସ୍ୱାର୍ଥ ଓ ସମ୍ବିଧାନର ସଂଘୀୟ ବ୍ୟବସ୍ଥାର ସୁରକ୍ଷା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଥିବା ଇଣ୍ଡିଆ ବ୍ଲକ୍‌ ପକ୍ଷରୁ କୁହାଯାଇଛି।

ପଦଯାତ୍ରା ସମୟରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବହୁ ସଂଖ୍ୟକ ନେତା ଓ କର୍ମୀଙ୍କୁ ଅଟକ ରଖିଥିଲା। ଏହାକୁ ନେଇ ରାଜଧାନୀରେ କିଛି ସମୟ ପାଇଁ ଉତ୍ତେଜନାମୟ ପରିସ୍ଥିତି ଦେଖାଦେଇଥିଲା।

ଇଣ୍ଡିଆ ବ୍ଲକ୍‌ ପକ୍ଷରୁ କୁହାଯାଇଛି ଯେ, ବନ୍ଦକୁ ରାଜ୍ୟବାସୀଙ୍କ ବ୍ୟାପକ ସମର୍ଥନ ମିଳିଛି। ବନ୍ଦ ପାଇଁ ଗତ ୧୦ ଦିନ ଧରି ଚାଲିଥିବା ପ୍ରସ୍ତୁତିରେ ସହଯୋଗ କରିଥିବା ରାଜ୍ୟର ସମସ୍ତ ଗଣମାଧ୍ୟମକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଧନ୍ୟବାଦ ଜଣାଇଛନ୍ତି।

ଏହି ବନ୍ଦ ଆନ୍ଦୋଳନରେ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌)-ଲିବରେସନ, ଫରୱାର୍ଡ ବ୍ଲକ୍‌, ଏନ୍‌ସିପି-(ଶରଦ ପୱାର), ସମାଜବାଦୀ ପାର୍ଟି, ଆର୍‌ଜେଡି ଓ ଜେଏମ୍‌ଏମ୍‌ ସମେତ ଇଣ୍ଡିଆ ବ୍ଲକ୍‌ର ବିଭିନ୍ନ ଅଂଶୀଦାର ଦଳର ରାଜ୍ୟସ୍ତରୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ।

ଇଣ୍ଡିଆ ବ୍ଲକ୍‌ର ନେତୃବୃନ୍ଦ କହିଛନ୍ତି ଯେ, ଦେଶର ଗଣତନ୍ତ୍ର, ସମ୍ବିଧାନ, ନିର୍ବାଚନ ପ୍ରକ୍ରିୟା ଓ ରାଜ୍ୟଗୁଡ଼ିକର ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଏହି ଆନ୍ଦୋଳନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଅଂଶୀଦାର ଦଳ ଏକତ୍ରିତ ହୋଇ ସଂଗ୍ରାମ ଜାରି ରଖିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

 

 

Spread the love