41

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷର ନେତୃତ୍ୱ ପୂର୍ତ୍ତି: କେନ୍ଦ୍ର କ୍ୟାବିନେଟରେ ସଂକଳ୍ପ ପାରିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ୱ ପୂର୍ତ୍ତି ଅବସରରେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ସଂକଳ୍ପ ପାରିତ କରାଯାଇଛି। ମୋଦୀଙ୍କ ଦୀର୍ଘ ସାର୍ବଜନୀନ ଜୀବନ, ଜନସେବା ଓ ନେତୃତ୍ୱକୁ ଏହି ସଂକଳ୍ପରେ ପ୍ରଶଂସା କରାଯାଇଛି।

ଏହାକୁ ନେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ଯେ, ଭାରତର ଗଣତାନ୍ତ୍ରିକ ଇତିହାସରେ ଆଜି ଏକ ଗୌରବମୟ ଦିନ। ମୋଦୀଙ୍କ ନେତୃତ୍ୱରେ ‘ରାଷ୍ଟ୍ର ପ୍ରଥମ’ ଓ ‘ନାଗରିକ ପ୍ରଥମ’ ନୀତିକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।

ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟର ‘ସ୍ୱାଗତ’ ଜନଅଭିଯୋଗ ଶୁଣାଣି ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଭାବେ ‘ପ୍ରଗତି’ ମାଧ୍ୟମରେ ଅଟକିଥିବା ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ, ‘ଜ୍ୟୋତିଗ୍ରାମ’ ଯୋଜନା, ଜନଧନ ଖାତା, ପକ୍କା ଘର, ଲକ୍ଷପତି ଦିଦି ଓ ପିଏମ୍-କିଷାନ ଭଳି ଯୋଜନାକୁ ଶ୍ରୀ ସାମଲ ଉଲ୍ଲେଖ କରିଥିଲେ।

ସେହିପରି ଜିଏସଟି ଲାଗୁ, ପୁରୁଣା ଉପନିବେଶବାଦୀ ଆଇନର ପ୍ରତ୍ୟାହାର, ଡିଜିଟାଲ୍ ଇଣ୍ଡିଆ, ୟୁପିଆଇ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉତ୍ପାଦନ, ଚନ୍ଦ୍ରଯାନ-୩ର ସଫଳତା, ଏଆଇ ଓ କ୍ୱାଣ୍ଟମ୍ ଟେକ୍ନୋଲୋଜି କ୍ଷେତ୍ରରେ ପଦକ୍ଷେପକୁ ମୋଦୀ ସରକାରଙ୍କ ପ୍ରମୁଖ ସଫଳତା ଭାବେ ଦର୍ଶାଇଥିଲେ।

ଜାତୀୟ ସୁରକ୍ଷା କ୍ଷେତ୍ରରେ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍, ୨୦୧୯ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍, ୨୦୨୫ ଅପରେସନ୍ ସିନ୍ଦୂର, ଧାରା ୩୭୦ ଉଚ୍ଛେଦ, ଓଆରଓପି ଓ ସିଡିଏସ୍ ପଦବୀ ସୃଷ୍ଟିକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଜି-୨୦, ଗ୍ଲୋବାଲ୍ ସାଉଥ୍ ଏବଂ ‘ଭାକ୍ସିନ୍ ମୈତ୍ରୀ’ ମାଧ୍ୟମରେ ବିଶ୍ୱସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଥିବା ସେ କହିଥିଲେ।

ଏହି ଅବସରରେ ଆସନ୍ତା ୭ ଅକ୍ଟୋବରରେ ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଆୟୋଜିତ ହେବ ବୋଲି ମନମୋହନ ସାମଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦୀ ଦେଶବାସୀଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଓଡ଼ିଶାର ୩୧ଟି ରାଜସ୍ୱ ଜିଲ୍ଲା ସମେତ ଭୁବନେଶ୍ୱରରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଅନ୍ୟ ଜିଲ୍ଲାଗୁଡ଼ିକରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ସାମିଲ ହେବେ ବୋଲି ସାମଲ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ରାଜ୍ୟ ପ୍ରକୋଷ୍ଠ ସମୂହ ସଂଯୋଜକ ସୁଦୀପ୍ତ ରାୟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ ଉପସ୍ଥିତ ଥିଲେ।

 

Spread the love