37

ବିଜେଡିର ନୂଆ ମିଡିଆ ସେଲ୍‌କୁ ନେଇ ନବୀନଙ୍କ ଗୁରୁତ୍ୱାରୋପ!

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ର ନବଗଠିତ ମିଡିଆ ସେଲ୍‌ର ଭୂମିକା ଓ ଦଳୀୟ ଯୋଗାଯୋଗ ବ୍ୟବସ୍ଥାକୁ ନେଇ ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆଲୋଚନା କରିଛନ୍ତି। ନବୀନ ନିବାସରେ ନବଗଠିତ ମିଡିଆ ସେଲ୍‌ର ସମନ୍ୱୟ ଟିମ୍‌ ସହ ଏକ ବୈଠକରେ ସେ ଦଳର ସାଂଗଠନିକ ପ୍ରାଥମିକତା ଓ ଯୋଗାଯୋଗ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ।

ଦଳର କାର୍ଯ୍ୟକ୍ରମ, ଗତିବିଧି ଓ ଲୋକଙ୍କ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଜେଡିର ମତାମତକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଇଲେକ୍ଟ୍ରୋନିକ୍‌ ମିଡିଆ, ପ୍ରିଣ୍ଟ ମିଡିଆ ଓ ସୋସିଆଲ ମିଡିଆର ପ୍ରଭାବୀ ବ୍ୟବହାର ଉପରେ ନବୀନ ଗୁରୁତ୍ୱାରୋପ କରିଥିଲେ।

ବିଜେଡି ନେତାମାନଙ୍କ ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ଜନସମସ୍ୟାକୁ ନେଇ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ସହ ଶାସନ, ଜନକଲ୍ୟାଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିବ ମିଡିଆ ସେଲ୍‌। ଏଥିସହ ଦଳର ଯୋଗାଯୋଗ ନେଟୱର୍କକୁ ଆହୁରି ବ୍ୟାପକ କରିବା ଏବଂ ବିଭିନ୍ନ ମିଡିଆ ଟିମ୍‌ ମଧ୍ୟରେ ସମନ୍ୱୟ ବୃଦ୍ଧି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ମିଡିଆ ସେଲ୍‌ର ବିଭିନ୍ନ ଦାୟିତ୍ୱରେ ଥିବା ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରତାପ ଜେନା, ଗୌତମବୁଦ୍ଧ ଦାସ, ପ୍ରଣବ ବଳବନ୍ତରାୟ, ଲେନିନ ମହାନ୍ତି, ପ୍ରିୟବ୍ରତ ମାଝୀ, ସ୍ୱୟଂ ପ୍ରକାଶ ମହାପାତ୍ର ଓ ଅମରେଶ ପାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love