50

ବନ୍ୟା କ୍ଷୟକ୍ଷତିର ତ୍ୱରିତ ଆକଳନ ଓ ଶୀଘ୍ର ସହାୟତା ପ୍ରଦାନ ନିର୍ଦ୍ଦେଶ!

ଭୁବନେଶ୍ୱର: ଭାରୀ ବର୍ଷା ଓ ବନ୍ୟା ଯୋଗୁଁ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ତ୍ୱରିତ ଆକଳନ କରିବା ସହ ପ୍ରଭାବିତ ଲୋକଙ୍କୁ ଶୀଘ୍ର ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ଆଜି ଉଭୟ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଲଖନପୁର ତହସିଲର ସୁଖାସୋଡ଼ା ଓ ସିମିଲିଆ ଗ୍ରାମ ପରିଦର୍ଶନ କରି ମନ୍ତ୍ରୀ ବନ୍ୟା ପରିସ୍ଥିତି ସମୀକ୍ଷା କରିଥିଲେ। ବିଶେଷକରି ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଜାଲ ଓ ଡଙ୍ଗା ନଷ୍ଟ ହୋଇଥିବା ସମ୍ପର୍କରେ ତଥ୍ୟ ନେଇଥିଲେ।

ଏହି ଅବସରରେ ମତ୍ସ୍ୟ ବିଭାଗର ଜିଲ୍ଲା ଅଧିକାରୀଙ୍କୁ ଜାଲ ଓ ଡଙ୍ଗାର କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୃଷି ଅଧିକାରୀଙ୍କୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ବିସ୍ତୃତ ରିପୋର୍ଟ ଦେବାକୁ ଏବଂ ତହସିଲଦାରଙ୍କୁ ଘର ନଷ୍ଟର ଆକଳନ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଥିଲା।

ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ଅଧୀନ ଚିଖିଲି ଗ୍ରାମ ସମେତ ଲଖନପୁର ଅଞ୍ଚଳର ମହୁଲି, ରେମତା ଓ ଚିଖିଲି ଗ୍ରାମ ମଧ୍ୟ ମନ୍ତ୍ରୀ ପରିଦର୍ଶନ କରି ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।

କ୍ଷୟକ୍ଷତିର ଆକଳନ ରିପୋର୍ଟ ପ୍ରସ୍ତୁତି ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ନକରିବାକୁ ମନ୍ତ୍ରୀ ତହସିଲଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ସଠିକ୍ ଆକଳନ ଆଧାରରେ ତୁରନ୍ତ ସହାୟତା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବନ୍ୟା ପ୍ରଭାବିତ ରାସ୍ତାଗୁଡ଼ିକର ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରି ଯାତାୟାତକୁ ସ୍ୱାଭାବିକ କରିବାକୁ ମଧ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ପରେ ଝାରସୁଗୁଡ଼ା ସର୍କିଟ୍‌ ହାଉସ୍‌ରେ ବରିଷ୍ଠ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଫସଲ କ୍ଷୟକ୍ଷତି, ମତ୍ସ୍ୟଜୀବୀଙ୍କ କ୍ଷତି, ଘର ନଷ୍ଟ ଓ ରାସ୍ତାଘାଟର କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କ୍ଷୟକ୍ଷତିର ଆକଳନ, ରିପୋର୍ଟ ଦାଖଲ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବନ୍ୟା ପ୍ରଭାବିତ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ଏହି ପରିଦର୍ଶନ ସମୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚଭାଣ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅମ୍ବାଭୋନା ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

 

 

Spread the love