67

କଳିଙ୍ଗପଟନମ୍ ନିକଟରେ ଗଭୀର ଅବପାତ, ୩ରୁ ୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ-ମଧ୍ୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବୁଧବାର ସନ୍ଧ୍ୟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିଛି। ଆସନ୍ତା ୩ରୁ ୪ ଘଣ୍ଟା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗର ଜାତୀୟ ପାଣିପାଗ ବୁଲେଟିନ୍ ନମ୍ବର ୧୧ ଅନୁଯାୟୀ, ବୁଧବାର ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ଏହି ଗଭୀର ଅବପାତଟି ଅକ୍ଷାଂଶ ୧୮.୧ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୮୪.୦ ଡିଗ୍ରୀ ପୂର୍ବରେ କେନ୍ଦ୍ରୀଭୂତ ଥିଲା।

ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ, ବିଶାଖାପାଟଣାଠାରୁ ୯୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୧୬୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା।

ଗତ ୬ ଘଣ୍ଟା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ଆଗକୁ ମଧ୍ୟ ସମାନ ଦିଗରେ ଗତି କରିବ। ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। କଳିଙ୍ଗପଟନମ୍‌ର ଦକ୍ଷିଣ-ପଶ୍ଚିମ ନିକଟରେ ଏହା ଉପକୂଳ ଅତିକ୍ରମ କରିବାର ଆକଳନ କରାଯାଇଛି |

 

Spread the love