ଭୁବନେଶ୍ୱର: ରାଜ୍ୟର ଆର୍ଥିକ ବିକାଶ, ସରକାରୀ ଆର୍ଥିକ ପରିଚାଳନା, ନିବେଶ, ନିଯୁକ୍ତି ଓ ସ୍ଥାୟୀ ବିକାଶ ନେଇ ନୀତିଗତ ପରାମର୍ଶ ପ୍ରଦାନ ପାଇଁ ଓଡ଼ିଶା ସରକାର ୧୧ ଜଣିଆ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (CM-EAC) ଗଠନ କରିଛନ୍ତି।
ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଓ ଆର୍ଥିକ ଶୃଙ୍ଖଳାକୁ ସୁଦୃଢ଼ କରିବା ପରିଷଦର ମୁଖ୍ୟ ଉଦ୍ଦେଶ୍ୟ। ‘ସମୃଦ୍ଧ ଓଡ଼ିଶା’ ଅଧୀନରେ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଏବଂ ‘ବିକଶିତ ଓଡ଼ିଶା’ ଅଧୀନରେ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ଗଠନ ଲକ୍ଷ୍ୟ ରହିଛି।
ଏହି ପରିଷଦ ଏକ ସ୍ୱାଧୀନ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀଙ୍କୁ ଅର୍ଥନୀତି ଓ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଗୁଆ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବ। ପରିଷଦରେ ୭ ଜଣ ବିଶେଷଜ୍ଞ ସଦସ୍ୟ ରହିଥିବା ବେଳେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର-କମ୍-ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦାଧିକାରୀ ସଦସ୍ୟ ରହିବେ। ଅର୍ଥ ବିଭାଗର ପ୍ରମୁଖ ସଚିବ ସଦସ୍ୟ-ସଚିବ ଭାବେ କାର୍ଯ୍ୟ କରିବେ।
ବିଶେଷଜ୍ଞ ସଦସ୍ୟମାନଙ୍କ କାର୍ଯ୍ୟକାଳ ଦୁଇ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ରହିବ।
ବିଶ୍ୱ, ଜାତୀୟ ଓ ରାଜ୍ୟସ୍ତରୀୟ ଅର୍ଥନୈତିକ ପରିବର୍ତ୍ତନ ଏବଂ ଏହାର ଓଡ଼ିଶା ଉପରେ ସମ୍ଭାବ୍ୟ ପ୍ରଭାବକୁ ପରିଷଦ ସମୀକ୍ଷା କରିବ। ଏଥିସହ ନୀତି ସଂସ୍କାର, କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ଅର୍ଥନୀତି, ସବୁଜ ଶକ୍ତି, ବ୍ଲୁ ଇକୋନୋମି, ଜଳବାୟୁ ସହନଶୀଳତା ଓ ପ୍ରଯୁକ୍ତିଭିତ୍ତିକ ଶାସନ ଭଳି ଉଦୀୟମାନ କ୍ଷେତ୍ରରେ ମଧ୍ୟ ପରାମର୍ଶ ଦେବ।
ସ୍ଥାୟୀ ଓ ସମାବେଶୀ ବିକାଶ, ଶିଳ୍ପାୟନ, ନିବେଶ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଓଡ଼ିଶାର ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି ନେଇ ମଧ୍ୟ ପରିଷଦ ପଦକ୍ଷେପ ସୁପାରିସ କରିବ। ଅଣକୃଷି ଅର୍ଥନୀତିର ବିସ୍ତାର, ଏମ୍ଏସ୍ଏମ୍ଇ ବିକାଶ, ଶିଳ୍ପ କ୍ଲଷ୍ଟର, ଦକ୍ଷତା ବିକାଶ ଓ ମାନବ ସମ୍ବଳ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ପରିଷଦ ପ୍ରତି ୬ ମାସରେ ଅତିକମରେ ଥରେ ବୈଠକ କରିବ। ଆବଶ୍ୟକତା ଅନୁଯାୟୀ ବିଭିନ୍ନ ବିଷୟରେ ଆଲୋଚନା ପାଇଁ ବିଶେଷଜ୍ଞ, ସରକାରୀ ଅଧିକାରୀ, ଶିକ୍ଷାବିତ୍, ଶିଳ୍ପ ପ୍ରତିନିଧି ଓ ଅନ୍ୟାନ୍ୟ ସଂଗଠନକୁ ବୈଠକକୁ ଆମନ୍ତ୍ରଣ କରାଯାଇପାରିବ।
ବିଜ୍ଞପ୍ତିରେ ନାମିତ ବିଶେଷଜ୍ଞ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ଯୁଗଳ କିଶୋର ମହାପାତ୍ର, ପୂର୍ବତନ ପାରାଦୀପ ପୋର୍ଟ ଅଥରିଟି ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଏବଂ ଆଇଏମ୍ଏଫ୍ର ଫିସ୍କାଲ୍ ଆଫେୟାର୍ସ ବିଭାଗର ପୂର୍ବତନ ବରିଷ୍ଠ ଅର୍ଥନୀତିଜ୍ଞ (ଟ୍ୟାକ୍ସ) ଅରବିନ୍ଦ ମୋଦୀ ରହିଛନ୍ତି।