70

ବାଲୁଗାଁରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ସମୃଦ୍ଧ ସହର ଗଠନ ଲକ୍ଷ୍ୟ!

ବାଲୁଗାଁ: ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଜାଗା ମିଶନ, ମୁକ୍ତା, ଆହାର, ଆମ ବସ୍‌ ଓ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି। ସମୃଦ୍ଧ ସହର ଯୋଜନା ମାଧ୍ୟମରେ ସହରୀକରଣ ସହ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି।

ଉନ୍ନତ ରାସ୍ତା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା, ଆଲୋକୀକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ଶିଳ୍ପ ନଗର ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି। **୨୦୩୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ସହରକୁ ସମୃଦ୍ଧ ସହର ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।

ସେହିପରି ନଗରାଞ୍ଚଳର ବିକାଶରେ କାଉନସିଲର ଏବଂ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଜନସାଧାରଣଙ୍କ ସବୁଠାରୁ ନିକଟତମ ଜନପ୍ରତିନିଧି ହୋଇଥିବାରୁ ସହର ବିକାଶରେ ସେମାନଙ୍କ ସକ୍ରିୟ ଭୂମିକା ଆବଶ୍ୟକ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍‌ଙ୍କ ସମେତ ସମସ୍ତ କାଉନସିଲର, କର୍ମଚାରୀ ଓ ସ୍ଥାନୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ |

 

Spread the love