62

ଭୁବନେଶ୍ୱରର ୬୭ ୱାର୍ଡରେ ସଂଗଠନ ମଜବୁତ କରିବ ଆପ୍: ସାଙ୍ଗଠନିକ ବୈଠକରେ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମ ଅଧୀନ ସମସ୍ତ ୬୭ଟି ୱାର୍ଡରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉପରେ ଜୋର ଦେଇଛି ଆମ୍ ଆଦମୀ ପାର୍ଟି (ଆପ୍)। ଏନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି।

ବୈଠକରେ ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଭୁବନେଶ୍ୱରରେ ଆପ୍‌ର ସାଙ୍ଗଠନିକ ଭିତ୍ତିକୁ ଅଧିକ ମଜବୁତ କରିବା ସହ ପ୍ରତ୍ୟେକ ୱାର୍ଡରେ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଂଗଠନ ଗଢ଼ି ତୋଳିବା ନେଇ ସେ ଦିଗ୍‌ଦର୍ଶନ ଦେଇଥିଲେ।

ବୈଠକରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଖଣି ସଂଶୋଧନ ବିଲ୍‌ ବିରୋଧରେ ଆୟୋଜିତ ହେବାକୁ ଥିବା ‘ଜନ ଆକ୍ରୋଶ ସମାବେଶ’କୁ ସଫଳ କରିବା ପାଇଁ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଥିଲା।

ଭୁବନେଶ୍ୱର ଦାୟିତ୍ୱରେ ଥିବା ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ ଏବଂ ଜିଲ୍ଲା ସଭାପତି ଜୟସୂର୍ଯ୍ୟ କାନୁନଗୋ ବୈଠକରେ ଉପସ୍ଥିତ ରହି ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ଦଳ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ପ୍ରତ୍ୟେକ ୱାର୍ଡରୁ ନିଷ୍ଠାବାନ ଓ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ଚିହ୍ନଟ କରାଯିବ। **ଅଗଷ୍ଟ ୩୧ ତାରିଖରୁ ପ୍ରତ୍ୟେକ ୱାର୍ଡରେ ନୂଆ ସଦସ୍ୟଙ୍କୁ ଦଳ ସହ ଯୋଡ଼ିବା ସହ ୱାର୍ଡ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରାଯିବ।

ଆଗାମୀ ଦିନରେ ଭୁବନେଶ୍ୱରର ସମସ୍ତ ୬୭ଟି ୱାର୍ଡରେ ଦଳର ସାଙ୍ଗଠନିକ ଉପସ୍ଥିତିକୁ ମଜବୁତ କରିବା ସହ ନିର୍ବାଚନୀ ମଇଦାନରେ ପ୍ରାର୍ଥୀ ଦେବା ନେଇ ମଧ୍ୟ ବୈଠକରେ ବିସ୍ତୃତ ରଣନୀତି ଉପରେ ଆଲୋଚନା ହୋଇଥିଲା। ବୈଠକରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ବିଭିନ୍ନ ପଦାଧିକାରୀ, କାର୍ଯ୍ୟକର୍ତ୍ତା ଓ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ୬୭ଟି ୱାର୍ଡରେ ସାଙ୍ଗଠନିକ ଭିତ୍ତି ବିସ୍ତାର କରି ଆଗାମୀ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା ଆପ୍‌ର ଏହି ନୂଆ ରଣନୀତିର ମୁଖ୍ୟ ଲକ୍ଷ୍ୟ ବୋଲି ବୈଠକରୁ ସ୍ପଷ୍ଟ ହୋଇଛି।

 

Spread the love