67

ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଜାତୀୟ କ୍ରୀଡ଼ା ଦିବସ ଉଦ୍‌ଯାପିତ

ଖୋର୍ଦ୍ଧା: ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଗତ ୨୮ ଅଗଷ୍ଟରୁ ପାଳିତ ହେଉଥିବା ତିନିଦିନିଆ ଜାତୀୟ କ୍ରୀଡ଼ା ଦିବସ ରବିବାର ଖୋର୍ଦ୍ଧାରେ ଉଦ୍‌ଯାପିତ ହୋଇଛି।

ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଉଦ୍‌ଯାପନୀ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେଉରା କହିଥିଲେ ଯେ, ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ବ୍ୟକ୍ତି କ୍ରୀଡ଼ା କିମ୍ବା ଯୋଗକୁ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ଉଚିତ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ‘ଖେଲେଗା ଇଣ୍ଡିଆ, ଜିତେଗା ଇଣ୍ଡିଆ’ର ଲକ୍ଷ୍ୟ ମଧ୍ୟ ସାକାର ହୋଇପାରିବ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ଖୋର୍ଦ୍ଧା ପୌର ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି, ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ, ଆଦର୍ଶ ଥାନା ଅଧିକାରୀ ରମେଶ ଦେବତା ଏବଂ ଶିଳ୍ପ ଥାନା ଅଧିକାରୀ ଉମେଶ ସାହୁ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏଥିରେ ବିଭିନ୍ନ ବିଦ୍ୟାଳୟର ଏନ୍ ସି ସି, ସ୍କାଉଟ୍‌ ଓ ଗାଇଡ୍‌ର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବୁଦ୍ଧିଜୀବୀ, କ୍ରୀଡ଼ାପ୍ରେମୀ, ଜିଲ୍ଲା ସୂଚନା ଅଧିକାରୀ ଲକ୍ଷ୍ମଣ ବେହେରା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ରେବତୀ ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିଲେ।

 

 

 

Spread the love