40

ବାଲୁଗାଁ ପୋଲିସ୍ ପକ୍ଷରୁ ‘ନିଶା ମୁକ୍ତ ଭାରତ’ ଅଭିଯାନ: ସ୍କୁଲ-କଲେଜରେ ବ୍ୟାପକ ସଚେତନତା

ଖୋର୍ଦ୍ଧା: ନିଶା ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ପୋଲିସ୍‌ର ନିର୍ଦ୍ଦେଶକ୍ରମେ ବାଲୁଗାଁ ପୋଲିସ୍ ପକ୍ଷରୁ ଅଞ୍ଚଳର ବିଭିନ୍ନ ସ୍କୁଲ ଓ କଲେଜରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ନିଶା ସେବନ ଦ୍ୱାରା ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହ ସମଗ୍ର ପରିବାର ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ବିଷୟରେ ମଧ୍ୟ ବୁଝାଇ ଦିଆଯାଇଥିଲା।

ଏଥିସହ ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ଦିଗରେ ସଚେତନତାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ଏହି ସଚେତନତା ଅଭିଯାନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ସମସ୍ତେ ନିଶା ବିରୋଧରେ ସଚେତନ ରହିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମରେ ବାଲୁଗାଁ ଥାନା ଅଧିକାରିଣୀ ଶ୍ରଦ୍ଧା ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ, “ଯୁବଶକ୍ତି ହିଁ ଦେଶର ଭବିଷ୍ୟତ। ତେଣୁ ଯୁବପିଢ଼ି ନିଶାଠାରୁ ଦୂରେଇ ରହିବା ସହ ଏକ ନିଶାମୁକ୍ତ ଭାରତ ଗଠନରେ ସମସ୍ତେ ସହଯୋଗ କରିବା ଆବଶ୍ୟକ।”

ବାଲୁଗାଁ ପୋଲିସ୍‌ର ଏଭଳି ସଚେତନତାମୂଳକ ପଦକ୍ଷେପକୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍ୱାଗତ କରିଛନ୍ତି।

 

 

Spread the love