40

ଆରମ୍ଭ ହେଲା ଖୁଦୁରୁକୁଣୀ ଓଷା, ଗାଁ ଓ ସାହିରେ ଭକ୍ତିମୟ ପରିବେଶ

ଖୋର୍ଦ୍ଧା: ଭାଦ୍ରବ ମାସର ପ୍ରଥମ ରବିବାରରୁ ସାରା ଓଡ଼ିଶା ସମେତ ବାଲୁଗାଁ ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି। ଏହି ଅବସରରେ ବାଲୁଗାଁ ଅଞ୍ଚଳର ବିଭିନ୍ନ ଗାଁ ଓ ସାହିରେ କୁଆଁରୀ ଝିଅମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି।

ଖୁଦୁରୁକୁଣୀ ଓଷା କୁଆଁରୀ କନ୍ୟାମାନଙ୍କର ଏକ ପ୍ରମୁଖ ଓ ପ୍ରିୟ ଓଷା। ଏହି ଓଷାରେ ମା’ ଦୁର୍ଗାଙ୍କ ଏକ ରୂପ ଭାବେ ମା’ ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ। ଖୁଦ ଭଜା ଭୋଗରେ ମା’ ସନ୍ତୁଷ୍ଟ ହେଉଥିବାରୁ ତାଙ୍କୁ ‘ଖୁଦୁରୁକୁଣୀ’ ବୋଲି କୁହାଯାଏ ବୋଲି ଲୋକବିଶ୍ୱାସ ରହିଛି।

ଏହି ଓଷାର ମୁଖ୍ୟ ଆଧାର ହେଉଛି ତପୋଇଙ୍କ କାହାଣୀ। ଲୋକକଥା ଅନୁସାରେ, ସାତ ଭାଇଙ୍କର ଏକମାତ୍ର ଭଉଣୀ ତପୋଇ ତାଙ୍କ ସାତ ଭାଉଜଙ୍କ ଦ୍ୱାରା ନିର୍ଯାତିତ ହୋଇ ଅନେକ ଦୁଃଖ ଭୋଗ କରିଥିଲେ। ପରେ ମା’ ଖୁଦୁରୁକୁଣୀଙ୍କୁ ପୂଜା କରି ତାଙ୍କ କୃପାରେ ତପୋଇ ଦୁଃଖରୁ ମୁକ୍ତି ପାଇଥିଲେ ବୋଲି ବିଶ୍ୱାସ ରହିଛି।

ପ୍ରତ୍ୟେକ ଭାଦ୍ରବ ମାସର ରବିବାର ଦିନ କୁଆଁରୀ କନ୍ୟାମାନେ ମା’ ଖୁଦୁରୁକୁଣୀଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କରିଥାନ୍ତି। ଭାଇମାନଙ୍କର ମଙ୍ଗଳ କାମନା ସହ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଏହି ଓଷା ପାଳନ କରାଯାଏ।

ଓଷା ପାଇଁ ସକାଳୁ ବାଲୁଗାଁ ଓ ଆଖପାଖ ଅଞ୍ଚଳର କୁଆଁରୀ ଝିଅମାନେ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିଥିଲେ। ଏହାପରେ ଖୁଦ ଚାଉଳ, ଫୁଲ, ସିନ୍ଦୂର ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ସହ ମାଟିରେ ମା’ଙ୍କ ପ୍ରତିମୂର୍ତ୍ତି ତିଆରି କରି ପୂଜା କରିଥିଲେ। ବିଭିନ୍ନ ସାହିରେ ଝିଅମାନେ ଦଳବଦ୍ଧ ହୋଇ ହାତରେ ଫୁଲ ଥାଳି ଧରି ପୂଜା କରୁଥିବା ଦୃଶ୍ୟ ଗାଁର ପରିବେଶକୁ ଆହୁରି ମନୋରମ କରିଛି।

ଓଷା ବହି ପାଠ ଓ ବ୍ରତକଥା ଶ୍ରବଣ ସହ ଭକ୍ତି ଓ ନିଷ୍ଠାର ସହ ମା’ ଖୁଦୁରୁକୁଣୀଙ୍କୁ ଆରାଧନା କରୁଛନ୍ତି କୁଆଁରୀ କନ୍ୟାମାନେ। ଏହାକୁ ନେଇ ବାଲୁଗାଁ ଅଞ୍ଚଳରେ ଏବେ ଏକ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

 

 

Spread the love